ମାଡ଼ି ଆସୁଛି ବିପଦ: ପୁରୁଣା ନଦୀବନ୍ଧ ଯୋଜନା ସୃଷ୍ଟି କରିବ ଆତଙ୍କ

ଜେନେଭା, ୨୪।୧: ପୃଥିବୀ ଉପରେ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ଦିନେ ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିବା ନଦୀ ବନ୍ଧ ଯୋଜନା ଯୋଗୁ ଆଗାମୀ ଦିନରେ ସଙ୍କଟ ସୃଷ୍ଟି ହେବ। ଏନେଇ ଜାତିସଂଘର ଏଜିଂ ଓ୍ବାଟର ଇନଫ୍ରାଷ୍ଟ୍ରକଚର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତରେ ୨୦୨୫ ବେଳକୁ ୧୧୧୫ ନଦୀବନ୍ଧ ୫୦ ବର୍ଷ ପୁରୁଣା ହୋଇଯିବ। ସେହିପରି ୨୦୫୦ ବେଳକୁ ୪୨୫୦ ନଦୀବନ୍ଧ ୫୦ ବର୍ଷ ପୁରୁଣା ହୋଇଯିବ। ସେହିପରି ୨୦୫୦ ବେଳକୁ ଦେଶର ୬୪ ବନ୍ଧ ୧୫୦ ବର୍ଷରୁ ଅଧିକ ପୁରୁଣା ହୋଇଯିବ। ଫଳରେ ଏସବୁ ନଦୀବନ୍ଧର ନିମ୍ନ ଅବବାହିକାରେ ବାସ କରୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ଯେ କୌଣସି ସମୟରେ ବନ୍ଧ ଭାଙ୍ଗିବା ଆତଙ୍କ ଯୋଗୁ ସ୍ଥିତି ସଙ୍କଟ ଜନକ ହେବ ବୋଲି ରିପୋର୍ଟରେ କୁହାଯାଇଛି। ପୃଥିବୀର ବିଭିନ୍ନ ଦେଶରେ ୧୯୩୦ରୁ ୧୯୭୦ ମଧ୍ୟରେ ୫୮, ୭୦୦ରୁ ଅଧିକ ନଦୀବନ୍ଧ ନିର୍ମିତ ହୋଇଥିଲା। ଏସବୁ ବନ୍ଧ ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବାର ସମ୍ଭବନା ରହିଛି। ୫୦ ବର୍ଷପରେ କଂକ୍ରିଟ୍‌ରେ ନିର୍ମାଣ କରାଯାଇଥିବା ବନ୍ଧ ଦୁର୍ବଳ ହେବାରେ ଲାଗିବ। ପୃଥିବୀର ୫୫ ପ୍ରତିଶତ ନଦୀବନ୍ଧ ଅର୍ଥାତ୍‌ ୩୨, ୭୧୬ଟି ଏସିଆର ଚାଇନା, ଭାରତ, ଜାପାନ ଏବଂ ଦକ୍ଷିଣ କୋରିଆ ଆଦି ୪ଟି ଦେଶରେ ରହିଛି। ଭାରତର କେରଳରେ ଥିବା ୧୦୦ ବର୍ଷ ପୁରୁଣା ମୁଲ୍ଲାପେରିୟାର ବନ୍ଧ ଯୋଗୁ ୩୫ ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଆମେରିକାରେ ୯୦,୫୮୦ ନଦୀବନ୍ଧ ୫୬ ବର୍ଷରୁ ପୁରୁଣା। ୨୦୨୦ରେ ୮୫ ପ୍ରତିଶତ ନଦୀବନ୍ଧ ବିପଦ ଜନକ ଅବସ୍ଥାରେ ରହିଥିବା କୁହାଯାଇଥିଲା। ଗତ ୩୦ ବର୍ଷମଧ୍ୟରେ ଆମେରିକାର ୨୧ ରାଜ୍ୟରୁ ୧୨୭୫ ନଦୀବନ୍ଧକୁ ହଟାଯାଇଛି। ୨୦୧୭ରେ କେବଳ ୮୦ ବନ୍ଧକୁ ହଟାଯାଇଥିଲା। ଅନ୍ୟ ଦେଶରେ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହେବାରେ ଲାଗିଥିବା ରିପୋର୍ଟରେ ଦର୍ଶାଯାଇଛି।

Share