ଘନେଇଲା ବିପଦ, ସ୍କୁଲ ଖୋଲିବା ପରେ ୬ ରାଜ୍ୟରେ ବହୁ ପିଲା କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୧।୯: ପୁଣି ବିପଦ ଘନେଇବା ଆରମ୍ଭ କରିଛି। ସ୍କୁଲ ଖୋଲିବା ପରେ ବିହାର, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ ଏବଂ ଉତ୍ତରପ୍ରଦେଶ ସମେତ ୬ ରାଜ୍ୟରେ ବହୁ ପିଲା କରୋନା ପଜିଟିଭ୍‌ ହୋଇଛନ୍ତି। ଏନେଇ ସମ୍ପୃକ୍ତ ରାଜ୍ୟ ସରକାରଙ୍‌ ଚିନ୍ତା ବଢ଼ିବାରେ ଲାଗିଛି।
ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଥିବାବେଳେ ତୃତୀୟ ଲହର ଆତଙ୍କ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ କେତେକ ରାଜ୍ୟରେ ସ୍କୁଲ-କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପୁଣି ଥରେ ଖୋଲିଛି। ଅନ୍ୟ ରାଜ୍ୟଗୁଡ଼ିକ ପକ୍ଷରୁ ଏନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ପିଲାମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ପଞ୍ଜାବ ରାଜ୍ୟ ଘଟିଛି। ଜୁଲାଇରୁ ଅଗଷ୍ଟ ମଧ୍ୟରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ୯.୬ ପ୍ରତିଶତ ବୃଦ୍ଧି ପାଇଛି। ଅଗଷ୍ଟ ୨ରୁ ପଞ୍ଜାବରେ ବିଦ୍ୟାଳୟଗୁଡ଼ିକ ଖୋଲା ଯାଇଥିଲା।

ବିହାର, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ହାର ୨ ରୁ ୩ ପ୍ରତିଶତ ମଧ୍ୟରେ ରହିଛି। ୨୬ ଜୁଲାଇରୁ ଗୁଜୁରାଟରେ ସ୍କୁଲ ଖୋଲିଛି। ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ଅଗଷ୍ଟ ପ୍ରଥମ ସପ୍ତାହରେ ବିଦ୍ୟାଳୟଗୁଡ଼ିକ ଖୋଲା ଯାଇଥିଲା। ବିହାରରେ ୧୬ ଅଗଷ୍ଟ ପରେ ବିଦ୍ୟାଳୟ ଖୋଲାଯାଇଥିଲା। ଏସବୁ ରାଜ୍ୟର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲିବା ପାଇଁ ଅତିରିକ୍ତ ସତର୍କତା ଅବଲମ୍ବନ କରାଯାଉଛି। ଦିଲ୍ଲୀ ଏବଂ ତେଲେଙ୍ଗାନାର ଅଙ୍ଗନୱାଡି କେନ୍ଦ୍ର ସମେତ ସମସ୍ତ ଶିକ୍ଷାନୁଷ୍ଠାନ ସେପ୍ଟେମ୍ବର ୧ରୁ ଖୋଲିଛି। ଦ୍ୱିତୀୟ ଲହରରେ ସଙ୍କଟର ସମ୍ମୁଖୀନ ହେଉଥିବା ଦିଲ୍ଲୀରେ ସ୍କୁଲ ଖୋଲାଯିବାକୁ ନେଇ ସାବଧାନତା ଅବଲମ୍ବନ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ, ସେପ୍ଟେମ୍ବର ୮ ରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ କ୍ଲାସରେ ଯୋଗଦେବାକୁ ଅନୁମତି ମିଳିବ।
ଅକ୍ଟୋବରରେ, ଜାୟଡସ କାଡିଲା ଦ୍ୱାରା ପ୍ରସ୍ତୁତ ହୋଇଥିବା ତିନି-ଡୋଜ କୋଭିଡ -୧୯ ଡିଏନଏ ଟିକା ୧୨ ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ ଦିଆଯିବାର ସମ୍ଭାବନା ରହିଛି। କରୋନାର ସମ୍ଭାବ୍ୟ ତୃତୀୟ ଲହର ବିଷୟରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। ତେବେ ବିଶେଷଜ୍ଞଙ୍କ ମତରେ ପିଲାମାନଙ୍କର ଅନ୍ତନିର୍ହିତ ରୋଗ ପ୍ରତିରୋଧକ ଶକ୍ତି ସେମାନଙ୍କୁ କରୋନା ଭୂୁତାଣୁଠାରୁ ରକ୍ଷା କରିବାକୁ ସକ୍ଷମ ହେବ।

Share