ଅଧା ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ଆଶଙ୍କା

ନୂଆଦିଲ୍ଲୀ, ୨୪।୧୨: ବ୍ରିଟେନରୁ ଭାରତ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୨୨ ଜଣଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ଅଧା ଯାତ୍ରୀଙ୍କଠାରେ କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ୍‌ ଥାଇପାରେ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। କାରଣ ବ୍ରିଟେନରେ ପଜିଟିଭ୍‌ ଚିହ୍ନଟଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କଠାରେ ଭୂତାଣୁର ନୂଆ ରୂପ ଦେଖିବାକୁ ମିଳୁଛି। ତେଣୁ ୨୨ ସଂକ୍ରମିତଙ୍କ ମଧ୍ୟରେ ଭୂତାଣୁର ନୂଆ ଭାରିଆଣ୍ଟ ଥିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ହାଇଦ୍ରାବାଦସ୍ଥିତ ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ ମଲିକୁଲାର ବାୟୋଲୋଜି (ସିସିଏମ୍‌ବି)ର ନିର୍ଦ୍ଦେଶକ ଡ. ରାକେଶ ମିଶ୍ରା କହିଛନ୍ତି। ଯେଉଁମାନେ ମାସେ ପୂର୍ବରୁ ବ୍ରିଟେନରୁ ଫେରିଛନ୍ତି ସେମାନଙ୍କର ପରୀକ୍ଷା କରାଇବା ଦରକାର ନାହିଁ। କାରଣ ସେମାନଙ୍କଠାରେ ଆଉ ଲକ୍ଷଣ ନ ଥିବ ଏବଂ ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିସାରିବେଣି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଭୂତାଣୁର ନୂଆ ରୂପ ବି.୧.୧.୭ ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଅଧିକାଂଶ ଦେଶ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ କରିଛନ୍ତି।

Share