Advertisement

ଚାଇନା ଉପରେ ମାଡ଼ି ଆସିଲା ବିପଦ: କରୋନା ପରେ ଏବେ ନୂଆ ସଂକ୍ରମଣ

ବେଜିଂ, ୬।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଉପରେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଛି। ଏଠାରେ ନୂଆ ସଂକ୍ରମଣରେ ୬୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଗ୍ଲୋବାଲ ଟାଇମ୍ସ୍‌ ରିପୋର୍ଟ ଅନୁସାରେ ପୂର୍ବ ଚାଇନାର ଜିୟାଙ୍ଗଶୁ ଏବଂ ଅନଶୁଇ ପ୍ରଦେଶରେ ହୁଇୟାଙ୍ଗଶାନ ବନୟାଙ୍ଗ୍‌ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। ଏହାକୁ ଏସ୍‌ଏଫ୍‌ଟିଏସ୍‌ ଭୂତାଣୁ ମଧ୍ୟ କୁହାଯାଉଛି। ଏକ ପ୍ରକାର କୀଟ କାମୁଡ଼ାରୁ ଏହି ଭୂତାଣୁ ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ଦ୍ୱାରା ଶରୀରର ଉତ୍ତାପ ବୃଦ୍ଧି ପାଇବା ସହିତ କାଶ, ଡାଇରିଆ ଏବଂ ବାନ୍ତି ହୋଇଥାଏ। ଧୀରେଧୀରେ ରକ୍ତରେଥିବା ଲ୍ୟୁକୋସାଇଟ୍‌ ମାତ୍ରା କମିବାରେ ଲାଗିଥାଏ। ଏହାପରେ ମଲ୍ଟି ଅର୍ଗାନ୍‌ ଫେଲ୍ୟୁର ହୋଇଥାଏ। ଏହି ଭୂତାଣୁ କବଳରୁ ଚାଇନା ୨୦୧୧ରେ ମୁକ୍ତ ହୋଇଥିଲା। ତେବେ ପୁଣି ୯ ବର୍ଷ ପରେ ଏହା ପ୍ରଭାବ ଦେଖିବାକୁ ମିଳିଛି। ସଂକ୍ରମିତ ମଣିଷଙ୍କଠାରୁ ଏହି ଭୂତାଣୁ ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ ବୋଲି ଜୋଝିୟାଙ୍ଗ୍‌ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡାକ୍ତର ଶେଙ୍ଗ୍‌ ଜିଫାଙ୍ଗ୍‌ ସୂଚନା ଦେଇଛନ୍ତି। ଏହି ଭୂତାଣୁ ଜାପାନ, ଭିଏତ୍‌ନାମ୍‌, ଦକ୍ଷିଣ କୋରିଆ, ତାଇଓ୍ବାନ୍‌ ଆଦି ଦେଶରେ ଦେଖାଯାଇଥାଏ । ଏହି ଭୂତାଣୁର ଫର୍ଟିଲିଟି ହାର ୧୨ ପ୍ରତିଶତ ରହିଥାଏ ବୋଲି ବିଶେଷଜ୍ଞ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share