ଜଙ୍ଗଲରେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଇନ୍ବ୍ରିଡିଙ୍ଗ (ରକ୍ତ ସମ୍ପର୍କରେ ପ୍ରଜନନ) ବଢ଼ୁଛି। ଇନ୍ବ୍ରିଡିଙ୍ଗ୍ ଯୋଗୁ କଳାବାଘ ଜନ୍ମ ନେଉଥିବା ମଲିକ୍ୟୁଲାର ଗବେଷଣାରୁ ଜଣାପଡ଼ିଛି। ଏହା ବାଘବଂଶ ପ୍ରତି ବିପଦର ସଙ୍କେତ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ଭୁବନେଶ୍ୱର, ୧୦।୧ (ଅସମାପିକା ସାହୁ):
ରାଜ୍ୟରେ ଗତ କିଛିମାସ ହେବ କଳାବାଘକୁ ନେଇ ଚର୍ଚ୍ଚା ହେଉଛି। ରାଜ୍ୟରେ ବାଘ ଗଣନା ଚାଲୁଥିବାବେଳେ ଗତବର୍ଷ ନଭେମ୍ବର ୨୯ରେ କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଏକ କଳା କଲରାପତରିଆ ବାଘ ଦେଖାଯାଇଥିଲା। ଏହାପରେ ଡିସେମ୍ବର ୨ରେ ପ୍ରଥମେ ୨ଟି କଳା ମହାବଳ ବାଘ ଠାବ ହୋଇଥିଲା। ୪ଟି କଳା ମହାବଳ ବାଘ ସାଙ୍ଗହୋଇ ବୁଲୁଥିବାର ଏକ ଭିଡିଓ ଗତ ୭ ତାରିଖରେ ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଥିଲେ। ଏମାନେ ସିଡୋ ମେଲାନିଷ୍ଟିକ ଟାଇଗର ଏବଂ ଏଭଳି ଦୃଶ୍ୟ ବିରଳରୁ ଅତି ବିରଳ ବୋଲି ପିସିସିଏଫ୍ ଲେଖିଥିଲେ। ସ୍ଥାନ ସମ୍ପର୍କରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ତାହା ଶିମିଳିପାଳର ବୋଲି ଜଣାପଡିଛି। କଳା ରଙ୍ଗର ବାଘ ଶିମିଳିପାଳରେ ଜନ୍ମ ନିଅନ୍ତି ଏବଂ ଦେଶରେ ଅନ୍ୟ କୌଣସି ସ୍ଥାନରେ ଏଭଳି ଘଟଣା ଦେଖାଯାଇ ନ ଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। ତେବେ ରୟାଲ ବେଙ୍ଗଲ ଟାଇଗର ପାଇଁ ପରିଚିତ ଶିମିଳିପାଳରେ କଳାବାଘଙ୍କ ଉପସ୍ଥିତିକୁ ପୂର୍ବତନ ବନ ଅଧିକାରୀଙ୍କ ସମେତ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ବାଘ ବଂଶ ପ୍ରତି ବିପଦର ସୂଚନା ବୋଲି କହୁଛନ୍ତି।
ଶିମିଳିପାଳ ଏବଂ ନନ୍ଦନକାନନରେ କଳାବାଘ ଜନ୍ମକୁ ନେଇ ୨୦୨୧ରେ ଏକ ଗବେଷଣା ହୋଇଥିଲା। ସେହି ଗବେଷଣାରେ ଓଡ଼ିଶାର ୩ଜଣ ଥିଲେ। କଳା ରଙ୍ଗର ବାଘ ଜନ୍ମହେବା ନେଇ ଇନ୍ବ୍ରିଡିଙ୍ଗ ଏକ ମୁଖ୍ୟ କାରଣ ବୋଲି ଦର୍ଶାଯାଇଥିଲା। ରକ୍ତ ସମ୍ପର୍କ ଭିତରେ ପ୍ରଜନନକୁ ଇନ୍ବ୍ରିଡିଙ୍ଗ ବୋଲି କୁହାଯାଏ। ଇନ୍ବ୍ରିଡିଙ୍ଗ ହେଲେ ଛୁଆମାନେ ଜିନ୍ ସ୍ତରରେ ଦୁର୍ବଳ ହୋଇଯାନ୍ତି। ସେମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦିଏ। ସାଧାରଣ ପ୍ରାଣୀ ଅପେକ୍ଷା ଇନ୍ବ୍ରିଡିଙ୍ଗ ଦ୍ୱାରା ଜନ୍ମିତ ପ୍ରାଣୀଙ୍କ ଶୀଘ୍ର ମୃତ୍ୟୁ ଘଟିଥାଏ ଏବଂ ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ହୋଇଥାଏ। ଇନ୍ବ୍ରିଡିଙ୍ଗ କାରଣରୁ ମହାବଳ ବାଘ କଳା ରଙ୍ଗ ହୋଇ ଜନ୍ମ ହେଉଥିବା ଗବେଷଣାରୁ ଜଣାପଡ଼ିଥିବାରୁ ଶିମିଳିପାଳରେ ଯଦି ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବ, ତେବେ ସାଧାରଣ ବାଘ ବା ରୟାଲ ବେଙ୍ଗଲ ଟାଇଗରଙ୍କ ସଂଖ୍ୟା କମିବ। ସମୟକ୍ରମେ ସାଧାରଣ ବାଘ ଆଉ ଜନ୍ମହେବେ ନାହିଁ ଏବଂ କଳା ବାଘ ମଧ୍ୟ ବେଶିଦିନ ତିଷ୍ଠି ପାରିବେ ନାହିଁ। ଧୀରେ ଧୀରେ ଶିମିଳିପାଳ ବାଘଶୂନ୍ୟ ହୋଇଯିବ ବୋଲି ବିଶେଷଜ୍ଞ କହୁଛନ୍ତି।
ଏ ନେଇ ନନ୍ଦନକାନନର ପୂର୍ବତନ ଡିସିଏଫ୍ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ କମଳ ଲୋଚନ ପୁରୋହିତ କହିଛନ୍ତି, ଇନ୍ବ୍ରିଡିଙ୍ଗ ଯୋଗୁ ଶିମିଳିପାଳରେ ଅଧିକ କଳା ବାଘ ଜନ୍ମ ହେଉଛନ୍ତି, ଯାହା ନନ୍ଦନକାନନ ଚିଡ଼ିଆଖାନାରେ ମଧ୍ୟ ହେଉଛି। ଚିଡ଼ିଆଖାନାରେ ସଂଖ୍ୟା କମ୍ ହେତୁ ପ୍ରଜନନରେ ସମସ୍ୟା ବୁଝିହୁଏ। ହେଲେ ପ୍ରାକୃତିକ ବନ୍ୟ ପରିବେଶରେ ଅଧିକ ସଂଖ୍ୟକ କଳା ବାଘ ଜନ୍ମ ହେବା ଚିନ୍ତାର ବିଷୟ। ଇନ୍ବ୍ରିଡିଙ୍ଗ ହୋଇ ଜିନ୍ ସ୍ତରରେ ଅବକ୍ଷୟ ହେବା ସ୍ପଷ୍ଟ ଜଣାପଡ଼ିଯାଉଛି। ଯଦି ଆଉ କିଛିବର୍ଷ ଶିମିଳିପାଳ ବାଘମାନେ ସାଧାରଣ ବାଘଙ୍କ ସହିତ ପ୍ରଜନନ କରିବାର ସୁଯୋଗ ନ ପାଇବେ, ତାଙ୍କର ଜିନ୍ରେ ଉନ୍ନତି ଘଟିବା ଅସମ୍ଭବ ହୋଇଯିବ। ସେତେବେଳେ ଆଉ ବାଘ ଦେଖିବାକୁ ମିଳିବ ନାହିଁ। ଶିମିଳିପାଳ ବାଘମାନଙ୍କର ଟେରିଟୋରି ଅଧ୍ୟୟନ କରି ବାହାର ରାଜ୍ୟରୁ ସ୍ବାସ୍ଥ୍ୟବାନ୍ ବାଘ ଆଣି ସେ ଅଞ୍ଚଳରେ ଛାଡ଼ିବା ପାଇଁ ବିଭାଗ ଶୀଘ୍ର ବ୍ୟବସ୍ଥା ଆରମ୍ଭ କରିବା ଉଚିତ। ଅନ୍ୟ ରାଜ୍ୟର ବାଘଙ୍କ ସହିତ ପ୍ରଜନନ ପରେ ଯେଉଁ ବାଘ ଛୁଆ ଜନ୍ମ ହେବେ ସେମାନେ ଆଉଟ୍ବ୍ରିଡ୍(outbred) ହେବେ ଏବଂ ଇନ୍ବ୍ରିଡିଙ୍ଗର ଧାରାକୁ ଭାଙ୍ଗିହେବ ବୋଲି ପୁରୋହିତ କହିଛନ୍ତି।
ଭାରତରେ କଳା ରଙ୍ଗର ବାଘଙ୍କ ବିଷୟରେ ୧୯୯୯ରେ ଏକ ବହି ପ୍ରକାଶିତ ହୋଇଥିଲା। ଏହାର ଲେଖକ ଥିଲେ ଓଡ଼ିଶା ବନ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଗବେଷଣା ଅଧିକାରୀ ଲାଲା ଅଶ୍ୱିନୀ କୁମାର ସିଂହ। କଳା ରଙ୍ଗର ମହାବଳ ବାଘ ଠାବହେବାର ସମ୍ଭାବ୍ୟ କାରଣ ଏବଂ ସମସ୍ୟା ବିଷୟରେ ସେ ଚେତାଇଥିଲେ। ୧୯୯୩ରେ ଏକ ଯୁବ କଳା ବାଘକୁ ଶିକାର ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ବାଘଟି ମାଆ ପାଖରେ ଅଧିକ ସମୟ ନ ରହିବାରୁ ଖାଦ୍ୟ ପାଇଁ ଶିକାର କରିବାର କୌଶଳ ସମ୍ପୂର୍ଣ୍ଣ ଶିଖି ପାରି ନ ଥିଲା। ଫଳରେ ଗ୍ରାମର ଅଧିକ ନିକଟକୁ ଆସିଯିବାରୁ ଲୋକେ ତାକୁ ମାରି ଦେଇଥିଲେ ବୋଲି ଦର୍ଶାଇଥିଲେ। ଏ ନେଇ ଲାଲା କହିଛନ୍ତି, ବାରମ୍ବାର କଳାବାଘ ଦେଖାଯିବା ଏକ ଭଲ ଖବର ନୁହେଁ। ଏହା ପ୍ରକୃତି ପାଇଁ ଶୁଭଙ୍କର ନୁହେଁ। ସାଧାରଣ ବାଘ ସଂଖ୍ୟା ପାଇଁ ଏହା ଏକ ଓ୍ବାର୍ନିଂ। କଳା ବାଘ ଅଧିକ ହେବା ଦର୍ଶାଉଛି ଯେ, ସାଧାରଣ ବାଘଙ୍କ ସଂଖ୍ୟା କମିବାରେ ଲାଗୁଛି। ସେଥିପାଇଁ ବିଭାଗ ସାଧାରଣ ବାଘଙ୍କ ସଂଖ୍ୟା କିପରି ବୃଦ୍ଧି କରିବ ସେ ଦିଗରେ ଦୃଷ୍ଟିଦେବା ଉଚିତ ବୋଲି ସେ କହିଛନ୍ତି। ଏ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, କଳା ରଙ୍ଗର ବାଘଙ୍କର ମୁଖ୍ୟ ସମସ୍ୟା ହୋଇଥାଏ ପରସ୍ପର ଭାବର ଆଦାନ ପ୍ରଦାନ ବା ଭିଜୁଆଲ୍ କମ୍ୟୁନିକେଶନ। ଫଳରେ ସେମାନେ ଭଲରେ ଶିକାର କରିବା ଶିଖିପାରନ୍ତି ନାହିଁ ଏବଂ ଛୁଆବେଳେ ନିଜେ ଶିକାର ହେବାର ସମ୍ଭାବନା ମଧ୍ୟ ବଢ଼ିଯାଏ।