ପକ୍ଷୀଙ୍କୁ ବିପଦ ଅସ୍ବାସ୍ଥ୍ୟକର ପରିବେଶ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶୀତ ବଢ଼ିଥିବା ବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ମଧ୍ୟ ବଢ଼ିଲାଣି। ବିଶେଷକରି କେନ୍ଦୁଝର ସହରର ଜଗନ୍ନାଥପୁର, ମାଧପୁର, ବଡ଼ଶାସନ, ପାଓ୍ବାରହାଉସ ଆଦି ସ୍ଥାନରେ ଥିବା ଜଳାଶୟରେ ଶହ ଶହ ସଂଖ୍ୟାରେ ବିଭିନ୍ନ ପ୍ରକାରର ବିଦେଶୀ ପକ୍ଷୀ ଦେଖିବାକୁ ମିଳୁଛି। ଏହି ପକ୍ଷୀଙ୍କୁ ଦେଖିବାକୁ ପକ୍ଷୀପ୍ରେମୀଙ୍କ ଭିଡ଼ ଜମୁଥିବା ବେଳେ କଳରବରେ ସହର ଗୁଞ୍ଜରିତ ହେଉଛି। ଜାନୁୟାରୀ ୧୦ରେ ପକ୍ଷୀ ଗଣନା ସମଗ୍ର ରାଜ୍ୟରେ ହେବାକୁ ଥିବାରୁ ସେ ସମୟରେ ବିଦେଶାଗତ ଓ ସ୍ଥାନୀୟ ପକ୍ଷୀଙ୍କ ସଂଖ୍ୟା କେତେ ଜଣାପଡ଼ିବ। ତେବେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ପକ୍ଷୀଙ୍କ ପ୍ରତି ବିପଦ ଆଶଙ୍କା ରହୁଥିବାରୁ ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ଯେ, ବିଦେଶାଗତ ପକ୍ଷୀଙ୍କୁ ଶାନ୍ତ, ସୁସ୍ଥ ପରିବେଶ ଓ ଖାଦ୍ୟ ଆକୃଷ୍ଟ କରିଥାଏ। ଫଳରେ ଜଗନ୍ନାଥପୁର, ମାଧପୁର, ବଡ଼ଶାସନ ସମେତ ସହରରେ ଥିବା ୧୦ରୁ ଊର୍ଦ୍ଧ୍ୱ ପୋଖରୀ ଓ ଜଳାଶୟ ନିକଟରେ ଥିବା ବୁଦା ଓ ଗଛ ଉପରେ ପକ୍ଷୀ ଆଶ୍ରୟ ନେଉଛନ୍ତି। ବିଶେଷତଃ ଆମେରିକା ଓ କାନାଡ଼ାର ରେଡ୍‌ ହେଡେଡ୍‌ ଡକ୍‌, କିଙ୍ଗଫିସର, ବଚର ଆଦି କିସମର ପକ୍ଷୀ ଦେଖିବାକୁ ମିଳୁଛି। ତେବେ ଅନେକ ପୋଖରୀରେ ଦଳ ଭଳି ଅନାବନା ଗଛଲତା ତଥା ମଇଳା ଆବର୍ଜନା ସଫେଇ ହେଉ ନ ଥିବାରୁ ପକ୍ଷୀପ୍ରେମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସେହିପରି ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ କେତେକ ପୋଖରୀ ବ୍ୟବହାର ହୋଇ ପାରୁ ନ ଥିବା ବେଳେ ଅନେକ ପୋଖରୀକୁ ସ୍ଥାନୀୟ ଲୋକେ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ସଚେତନତା ଏବଂ ସୁରକ୍ଷା ଅଭାବରୁ ପକ୍ଷୀ ଶିକାର ହେଉଛି। ସ୍ଥାନୀୟ କେତେକ ଲୋକ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି। ପ୍ରଶାସନ ଉକ୍ତ ଲୋକଙ୍କୁ ନେଇ ଗୋଷ୍ଠୀଗତ ସୁରକ୍ଷା କରିବାକୁ ପଦକ୍ଷେପ ନେବା ଜରୁରୀ ବୋଲି ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି।
ସଫେଇ ହେଲେ ଅଧିକ ସଂଖ୍ୟାରେ ପକ୍ଷୀ ଆସିବେ, ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇପାରିବ ବୋଲି ଜଗନ୍ନାଥପୁର ନିବାସୀ ତଥା ସାମାଜିକ କର୍ମୀ ଅଭୟ ଜେନା କହିଛନ୍ତି। ପ୍ରତ୍ୟେକ ବର୍ଷ ଏହି ପୋଖରୀକୁ ବହୁ ସଂଖ୍ୟାରେ ପକ୍ଷୀ ଆସନ୍ତି। ପୋଖରୀର ସଫେଇ ଏବଂ ପକ୍ଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଗଲେ ସେମାନେ ଅଧିକ ସଂଖ୍ୟାରେ ଆସିବେ ବୋଲି ସ୍ଥାନୀୟ ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି। ବିଶେଷକରି ଏହି ଋତୁରେ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ପକ୍ଷୀମାନେ ଏହି ଋତୁରେ ଅଣ୍ଡା ମଧ୍ୟ ଦେଇଥାନ୍ତି। ବିଶେଷ କରି ଜନ ବସତି ଅଞ୍ଚଳରେ ପକ୍ଷୀ ଅଧିକ ରହୁଛନ୍ତି ବୋଲି ଡିଏଫ୍‌ଓ ଧନ୍‌ରାଜ ଏଚ୍‌.ଡି କହିଛନ୍ତି।

Share