ବନ୍ତ,୧୦।୯(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଶାସନ ନିକଟ କପାଳୀ ନଦୀ ଉପରେ ନିର୍ମିତ ପୋଲ ମରାମତି ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପୋଲର ଉଭୟପାର୍ଶ୍ୱର ସୁରକ୍ଷାବାଡ଼ ଭାଙ୍ଗିଯାଇଛି। ପୋଲର ଛାତ ଦବିଯାଇଥିବା ବେଳେ ଖାଲଖମା ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟ ରାଜପଥର ତରଡ଼ିପାଳ ଛକଠାରୁ କନ୍ତିଆ ଚଣ୍ଡିଆଡ଼ି ପର୍ଯ୍ୟନ୍ତ ଯାଇଥିବା ୪ କି.ମି. ରାସ୍ତା ମଧ୍ୟରେ ଥିବା ଏହି ପୋଲ ଉପରେ କନ୍ତିଆ ଶାସନ, ଯେନାସାହି, ରାଉତସାହି, କଚେରୀସାହି, ମଣ୍ଡଳସାହିର ଲୋକେ ନିର୍ଭର କରନ୍ତି। ଦୈନନ୍ଦିନ ଛାତ୍ରୀଛାତ୍ର ପୋଲ ଦେଇ ନିକଟବର୍ତ୍ତୀ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାତାୟାତ କରୁଛନ୍ତି। ବିପଦସଙ୍କୁଳ ସେତୁ ଉପରେ ଦୈନିକ ଶତାଧିକ ଲୋକ ଯିବାଆସିବା କରୁଛନ୍ତି। ସେହିପରି ଦୁଇ ଓ ଚାରିଚକିଆ ଯାନ ମଧ୍ୟ ଯାତାୟାତ କରୁଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ତୁରନ୍ତ ପୋଲର ମରାମତି କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଭଦ୍ରକସ୍ଥିତ ଡ୍ରେନେଜ ବିଭାଗ କନିଷ୍ଠ ଯନ୍ତ୍ରୀ ଶଙ୍କର୍ଷଣ ମଣ୍ଡଳଙ୍କୁ ପଚାରିବାରୁ ସ୍ଥାନୀୟ ଲୋକେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଲେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।