Advertisement

ବିପଦସଙ୍କୁଳ ଚବେରି ନଦୀ ପୋଲ, ଭୁଶୁଡ଼ିବା ଆଶଙ୍କା

ଦଶମନ୍ତପୁର, ୨୭।୯(ଡି.ଏନ୍‌.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଏ.ମାଲକାନଗିରି ପଞ୍ଚାୟତ ସଦର ମହକୁମାରୁ ମାତ୍ର ଅଧ କିମି ଦୂରରେ ଥିବା ଚବେରି ନଦୀ ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ। କେତେବେଳେ ଯେ ପୋଲଟି ଭୁଶୁଡ଼ି ପଡ଼ିବ ତାହା କହିବା ମୁସ୍କିଲ। ଏବେ ପୋଲକୁ ନେଇ ଅଞ୍ଚଳବାସୀ ଚିନ୍ତାରେ। ସେମାନେ ଏହାର ମରାମତି ଦାବି କରିଛନ୍ତି।
କିଛିଦିନ ତଳେ କୋରାପୁଟ-ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ଗଁା ନିକଟସ୍ଥ ପୋଲ ଭୁଶୁଡ଼ି ଯିବାରୁ ସେହି ରାସ୍ତାରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। ବର୍ତ୍ତମାନ ପୋଡ଼ାଗଡ଼ ଛକରୁ ବାଇପାସ୍‌ ରାସ୍ତା ଗାଦିଆଗୁଡ଼ା, ଆଡ଼ମୁଣ୍ଡା, ଏ. ମାଲକାନଗିରି ପଞ୍ଚାୟତ ଅତିକ୍ରମ କରି ପୁଣି ମୁଖ୍ୟ ରାସ୍ତା ବାଗ୍ରା ଛକ ଦେଇ କୋରାପୁଟ ସହରକୁ ଯିବାକୁ ପଡୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ସଂଖ୍ୟାରେ ଭାରିଯାନ ଯାତାୟାତ କରୁଛି। ଫଳରେ ଏହି ଚବେରି ନଦୀରେ ନିର୍ମାଣ ହୋଇଥିବା ସ୍ଥାୟୀ ପୋଲର ଦୁଇ ପାର୍ଶ୍ୱ ଦୁର୍ବଳ ହୋଇ ଏବେ ତଳକୁ ଦବିଦବି ଯାଉଛି। କେତେବେଳେ ବଙ୍ଗଳାଗୁଡା ପୋଲ ଭଳି ଏହା ଭୁଶୁଡି ପଡ଼ିବ ବୋଲି ଲୋକେ ଆଶଙ୍କା କରୁଛନ୍ତି। ଏହା ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକବାସୀଙ୍କ ଏକମାତ୍ର ଭରସାଯୋଗ୍ୟ ରାସ୍ତା। ଯଦି ଏହି ପୋଲ ଭୁଶୁଡ଼ି ଯିବ ଏହି ଦୁଇ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ। ଫଳରେ ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ବାଧା ଦେଖାଯିବ। ତେବେ ତୁରନ୍ତ ଜିଲା ପ୍ରଶାସନ ଏହି ରାସ୍ତାର ଦୁଇ ପାର୍ଶ୍ୱରେ ସୁରକ୍ଷା ସିମେଣ୍ଟ କଂକ୍ରିଟ୍‌ କାନ୍ଥ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share