ଭାଲଚନ୍ଦ୍ର ଷଡ଼ଙ୍ଗୀ
‘ବୁଲିବାଇ’ ଓ ‘ସୁଲି ଡିଲସ୍’ ନଁାରେ ଇଣ୍ଟରନେଟ୍ରେ ଅପ୍ଲୋଡ୍ ହୋଇଥିବା ଦୁଇଟି ଆପ୍କୁ ନେଇ ଗତ କିଛି ଦିନ ଧରି ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହିଳାଙ୍କ ଅନ୍ଲାଇନ୍ ନିଲାମୀ ନଁାରେ ଗତବର୍ଷ ‘ସୁଲି ଡିଲସ୍’ ପରେ ଏବେ ‘ବୁଲିବାଇ’ ନଁାରେ ଏକ ନୂଆ ଆପ୍ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ଯେଉଁ ମହିଳାମାନଙ୍କୁ ଏଥିରେ ଟାର୍ଗେଟ୍ କରାଯାଇଛି, ସେମାନଙ୍କ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଅନେକ ସମ୍ମାନଜନକ ମହିଳା ରହିଛନ୍ତି। ସେମାନଙ୍କ ଫଟୋ ଓ ଭିଡିଓକୁ ଏହି ଆପ୍ ଜରିଆରେ ଇଣ୍ଟରନେଟ୍ରେ ଅପଲୋଡ୍ କରି ସେମାନଙ୍କୁ ନିଲାମୀ କରାଯାଇଥାଏ। କିଛି ଧର୍ମାନ୍ଧ ବ୍ୟକ୍ତିଙ୍କ ଦ୍ୱାରା ପରିକଳ୍ପିତ ଏହି ଆପ୍ରେ କେବଳ ମୁସଲମାନ ଧର୍ମର ସେହି ମହିଳାଙ୍କୁ ଟାର୍ଗେଟ୍ କରାଯାଇଛି। ଅନ୍ଲାଇନ୍ରେ ଏଭଳି ନିଲାମ କରିବାର ଏକମାତ୍ର ଉଦ୍ଦେଶ୍ୟ ହେଲା, ସେମାନଙ୍କୁ ଲାଞ୍ଛିତ, ଅପମାନିତ ଓ ଆତଙ୍କିତ କରିବା। ତେବେ ଏହି ବିପଜ୍ଜନକ ଆପ୍ ସମ୍ପର୍କରେ ଉଜାଗର ହେବା ପରେ ଦେଶରେ ବିଶେଷକରି ସାମାଜିକ ଗଣମାଧ୍ୟମରେ ଭୟଙ୍କର ପ୍ରତିକ୍ରିୟା ପ୍ରକାଶ ପାଇଛି। ‘ସୁଲି ଡିଲସ୍’ର ନିର୍ମାତାମାନେ ଭୟରେ ତାକୁ ଇଣ୍ଟରନେଟ୍ରୁ ହଟେଇ ଦେଇଥିବା ବେଳେ ନିକଟରେ ସରକାର ‘ବୁଲିବାଇ’ ଆପ୍କୁ ମଧ୍ୟ ହଟେଇ ଦେଇଛନ୍ତି।
‘ବୁଲିବାଇ’ ଓ ‘ସୁଲି ଡିଲସ୍’ ଆପ୍ ପ୍ରକରଣରେ ପୀଡ଼ିତା ମହିଳାମାନଙ୍କ ପକ୍ଷରୁ ଛଅ ମାସ ତଳେ ପ୍ରଥମେ ଦିଲ୍ଲୀରେ ଏବଂ ବର୍ତ୍ତମାନ ମୁମ୍ବାଇରେ ଅଭିଯୋଗ ଦାଖଲ କରାଯାଇଛି। ଉପରୋକ୍ତ ଅଭିଯୋଗ ଆଧାରରେ ନିକଟରେ ମୁମ୍ବାଇ ପୋଲିସ ଜଣେ ଯୁବତୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ତା’ ଦେଖାଦେଖି ଦିଲ୍ଲୀ ପୋଲିସ ମଧ୍ୟ ‘ସୁଲି ଡିଲସ୍’ ଆପ୍ ଘଟଣାରେ ସମ୍ପୃକ୍ତ ତିନି ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ମାମଲାରେ ଗିରଫ ଅଭିଯୁକ୍ତମାନଙ୍କ ବୟସ ୧୮ରୁ ୨୧ ବର୍ଷ ମଧ୍ୟରେ ଏବଂ ସେମାନେ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ । ଏହି ଯୁବକମାନେ ଆମେରିକୀୟ ଇଣ୍ଟରନେଟ୍ ପ୍ଲାଟଫର୍ମ ‘ଗିଟ୍ହବ୍’ରେ ରହିଥିବା ସୁଯୋଗକୁ ଉପଯୋଗ କରି ନିଜର ଆପ୍ ତିଆରି କରିଛନ୍ତି। ନିଜର ପରିଚୟକୁ ଛପାଇବା ପାଇଁ ସେମାନେ ଜଣକ ପରିଚୟକୁ ସୁରକ୍ଷିତ ରଖୁଥିବା ‘ପ୍ରୋଟନ୍’ ଇ-ମେଲ୍ ଜରିଆରେ ନିଜର ଆକାଉଣ୍ଟ୍କୁ ଖୋଲିଛନ୍ତି। ଏହିପରି ଭାବେ ଆପ୍କୁ ନିର୍ମାଣ କରିବା ପରେ ସେମାନେ ବିଭିନ୍ନ ଟ୍ବିଟର ଆକାଉଣ୍ଟ୍ ଜରିଆରେ ତାକୁ ବିଭିନ୍ନ ଲୋକଙ୍କ ପାଖକୁ ଶେୟାର କରି ତାକୁ ଶେଷରେ ସାର୍ବଜନୀନ କରିଥା’ନ୍ତି।
‘ବୁଲିବାଇ’ ଓ ‘ସୁଲି ଡିଲସ୍’ ଆପ୍ ପ୍ରକରଣକୁ ଉପରୁ ଦେଖିଲେ ହୁଏତ ଏକ ସାଧାରଣ ସାଇବର ଅପରାଧ ପରି ଲାଗୁଥାଇପାରେ। କିନ୍ତୁ ଏହା ପଛରେ ସମାଜକୁ ଭାଗ ଭାଗ କରିବା, ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ଶେଷରେ ଗୃହଯୁଦ୍ଧ ଆଡ଼କୁ ନେବାର ଘୃଣ୍ୟ ଷଡ଼ଯନ୍ତ୍ର ରହିଛି। ମହିଳାଙ୍କୁ ଏଭଳି ଅନ୍ଲାଇନ୍ରେ ନିଲାମୀ କରିବା ଘଟଣାଟି ଏକ ସାଧାରଣ ଅପରାଧ ନୁହେଁ। ନିଲାମୀର ଶିକାର ମୁସ୍ଲିମ୍ ମହିଳାଙ୍କ ମଧ୍ୟରେ ଦେଶର ଅନେକ ବରିଷ୍ଠ ସାମ୍ବାଦିକାଙ୍କଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଅଭିନେତ୍ରୀ ଶାବନା ଆଜ୍ମୀ, ଏପରିକି ଜେଏନ୍ୟୁର ନିଖୋଜ ଛାତ୍ର ନଜୀବଙ୍କ ମାଆ ପର୍ଯ୍ୟନ୍ତ ଅନେକ ରହିଛନ୍ତି। ତେବେ ଅପରାଧୀମାନେ ଯେଉଁ ଶହେରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଟାର୍ଗେଟ୍ କରି ସେମାନଙ୍କ ଫଟୋ ଓ ଭିଡିଓକୁ ଅପ୍ଲୋଡ୍ କରିଛନ୍ତି। ଏହା ସହିତ ସମସ୍ତେ ନିଜ ନିଜ କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ ହେବା ସହ ବର୍ତ୍ତମାନର କେନ୍ଦ୍ର ସରକାର ଓ ତାଙ୍କର ବିଭିନ୍ନ ନୀତି ବିଶେଷକରି ସେମାନଙ୍କ ସାମ୍ପ୍ରଦାୟିକତାବାଦୀ ରାଜନୀତିର ମୁଖର ସମାଲୋଚକ ରୂପେ ପରିଚିତ। ଅତଏବ ଏହି ଅପରାଧ ପଛରେ ସାମ୍ପ୍ରଦାୟିକ ଓ ମହିଳା ବିରୋଧୀ ଘୃଣା ତଥା ହିଂସା ପ୍ରମୁଖ ଭାବେ ରହିବା ସହିତ ଏହା ଜରିଆରେ ବର୍ତ୍ତମାନର ସରକାରଙ୍କ ରାଜନୈତିକ ବିରୋଧୀମାନଙ୍କୁ ବି ଟାର୍ଗେଟ୍ କରିବାର ଉଦ୍ଦେଶ୍ୟଟି ସ୍ପଷ୍ଟ ଭାବେ ରହିଛି।
କେବଳ ସେତିକି ନୁହେଁ, ଅଭିଯୁକ୍ତମାନେ ନିଜର ପରିଚୟକୁ ଲୁଚାଇବାକୁ ଉପରୋକ୍ତ ଦୁଇ ଆପ୍ର ନାମକୁ ଶିଖ୍ ନାମ ରଖିଥିବା ବେଳେ ‘ଖାଲସା ସୁପରମେସିଷ୍ଟ’, ‘ୟତିନ୍ଦର ସିଂ ଭୁଲର୍’, ‘ହର୍ପାଲ’ ଆଦି ଶିଖ୍ ନାମକୁ ବ୍ୟବହାର କରି ଆକାଉଣ୍ଟ୍ ଖୋଲିଛନ୍ତି। ଏପରିକି ଆପ୍ର ଲୋଗୋ ରୂପେ ସେମାନେ ଶିଖ୍ମାନେ ପିନ୍ଧୁଥିବା ପଗଡ଼ିକୁ ରଖିଛନ୍ତି। ଏହାର ଅର୍ଥ ହେଲା, ଅଭିଯୁକ୍ତମାନେ କେବଳ ମୁସ୍ଲିମ ମହିଳାଙ୍କୁ ଅପମାନିତ କରିବାକୁ ଚାହୁଁନାହାନ୍ତି, ଶିଖ୍ମାନଙ୍କ ବିରୋଧରେ ମଧ୍ୟ ଘୃଣା ଏବଂ ଅସୂୟାଭାବ ପୋଷଣ କରିବା ସହିତ ଉଭୟ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ ଓ ଶତ୍ରୁତାକୁ ବଢ଼ାଇବାକୁ ଚାହାନ୍ତି।
ମହିଳାଙ୍କ ବିରୋଧରେ ସଙ୍ଗଠିତ ଏହି ଅନ୍ଲାଇନ୍ ନିଲାମୀ କେତେ ଭୟଙ୍କର ତା’ର କଳ୍ପନା କେବଳ ସେହି ମହିଳା ହିଁ କରିପାରିବ, ଯିଏ ତାର ଶିକାର ହୋଇଛି। ଇଣ୍ଟରନେଟ୍ରେ ତା’ର ଫଟୋ ରଖି ତାକୁ ନିଲାମୀ ପାଇଁ ଘୋଷଣା କରାଯିବ ଏବଂ ତାରି ତଳେ ହଜାର ହଜାର ଲୋକ ଅତ୍ୟନ୍ତ ଅଭଦ୍ର କମେଣ୍ଟ ପ୍ରଦାନ କରି ତାକୁ ଉପହାସ କରି ପାଶବିକ ଆନନ୍ଦ ପାଉଥିବେ, ଏହାକୁ ଦେଖିବା ପରେ ସମ୍ପୃକ୍ତା ମହିଳା କେଉଁ ପ୍ରକାର ମାନସିକ ସ୍ଥିତିରେ ରହିଥିବେ, ତାହା ଚିନ୍ତା କରାଯାଇ ନ ପାରେ। ସରକାରଙ୍କ ନୀତି ଓ ରାଜନୀତିକୁ ବୁଝୁଥିବା ତଥା ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଅତ୍ୟନ୍ତ ମୁଖର ହୋଇ ପ୍ରତିବାଦ କରୁଥିବା ମୁସ୍ଲିମ୍ ମହିଳାଙ୍କୁ ଚୁପ୍ କରିଦେବା ପାଇଁ ଏହି ଷଡ଼ଯନ୍ତ୍ରଟି ଯେ ଉଦ୍ଦିଷ୍ଟ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଏଭଳି କାର୍ଯ୍ୟକ୍ରମ ନିଜର ରାଜନୀତିକୁ ସୁହାଉଥିବା କାରଣରୁ କେନ୍ଦ୍ର ସରକାର ଓ ଶାସକ ଦଳର ନେତାମାନେ ଏହାକୁ ବିରୋଧ କରିବାକୁ ସାହସ ଦେଖାଇନାହାନ୍ତି।
ସବୁଠାରୁ ଗୁରୁତର ବିଷୟ ହେଲା, ଉଭୟ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଶିକ୍ଷିତ ଏବଂ କମ୍ ବୟସର ଯୁବକ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସମସ୍ତ ଅଭିଯୁକ୍ତ କଠୋରପନ୍ଥୀ ହିନ୍ଦୁତ୍ୱବାଦୀ ବିଚାରରେ ବିଶ୍ୱାସ କରୁଥିବା ସ୍ବୀକାର କରିଥିବା ବେଳେ ନିଜର କାମ ପାଇଁ ସେମାନେ ସାମାନ୍ୟତମ ଅନୁତପ୍ତ ନଥିବା ଜଣାପଡ଼ିଛି। ‘ଟ୍ରାଡ୍ ମହାସଭା’ ନଁାରେ ଏକ ଟ୍ବିଟର୍ ଗ୍ରୁପ୍ ଦ୍ୱାରା ଅନୁପ୍ରାଣିତ ହୋଇ ସେମାନେ ଏପରି କରିଥିବା କଥା କହିଛନ୍ତି। TRAD ବା Traditional ନଁାରେ ଦେଶର ଏକ ସାମ୍ପ୍ରଦାୟିକ ଗୋଷ୍ଠୀ ଇଣ୍ଟରନେଟ୍ ମାଧ୍ୟମରେ ସମାଜର ସଂଖ୍ୟାଲଘୁ, ଦଳିତ ଓ ମହିଳାଙ୍କ ବିରୋଧରେ ଲଗାତାର ଘୃଣା ଓ ବିଷୋଦ୍ଗାର କରୁଥିବା ଦେଖିବାକୁ ମିଳିଛି। କେନ୍ଦ୍ରର ଶାସକ ଗୋଷ୍ଠୀଙ୍କ ବିଚାର ସହିତ ସହମତି ରଖିଥିବା ଏହି ସାମ୍ପ୍ରଦାୟିକ ଗୋଷ୍ଠୀ ନିଜର ରାଜନୈତିକ ସ୍ବାର୍ଥ ପାଇଁ ଦେଶର ଯୁବପିଢ଼ି ବିଶେଷକରି ଶିକ୍ଷିତ ଯୁବକ ଏପରିକି ଯୁବତୀମାନଙ୍କୁ ବି ନିଜର ସହଜ ଶିକାର କରିଥା’ନ୍ତି। ସେମାନଙ୍କ ମନରେ ମୁସଲମାନ ଧର୍ମ ଓ ତା’ର ଅନୁଗାମୀମାନଙ୍କ ବିରୋଧରେ ଘୃଣାର ବିଷ ଭରି ସେମାନଙ୍କୁ ଏଭଳି ଜଘନ୍ୟ ଅପରାଧ କରିବା ପାଇଁ ପ୍ରେରିତ କରିବାରେ ଯେ ସଫଳ ହୋଇଛନ୍ତି, ଏଥିରୁ ଆଦୌ ସନ୍ଦେହ ନାହିଁ। ସାଧାରଣତଃ ଅନ୍ୟ ଧର୍ମ ପ୍ରତି ସହନଶୀଳ ଓ ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହୋଇ ନିଜେ ଭଲ ମଣିଷ ହେବାକୁ ଚେଷ୍ଟା କରୁଥିବା ଯୁବକମାନଙ୍କୁ ସାମ୍ପ୍ରଦାୟିକ ଶକ୍ତିଗୁଡ଼ିକ କିପରି ଦଙ୍ଗାକାରୀ ଓ ହତ୍ୟାକାରୀରେ ପରିଣତ କରିଥା’ନ୍ତି, ଏହି ଘଟଣା ତା’ର ବଳିଷ୍ଠ ଉଦାହରଣ।
‘ବୁଲିବାଇ’ ଓ ‘ସୁଲି ଡିଲସ୍’ ପ୍ରକରଣ ମାଧ୍ୟମରେ ଦେଶରେ ହିଂସା ଓ ଘୃଣାର ପ୍ରଚାର କୌଣସି ବିଚ୍ଛିନ୍ନ ବିଷୟ ନୁହେଁ। ଗତ କିଛି ବର୍ଷ ଧରି ଦେଶରେ ଧର୍ମ ଓ ଜାତୀୟତାବାଦ ନଁାରେ କେନ୍ଦ୍ରର ଶାସକ ଗୋଷ୍ଠୀ ନିଜର ରାଜନୈତିକ ସ୍ବାର୍ଥରେ ଯେଉଁ ବିପଜ୍ଜନକ ସାମ୍ପ୍ରଦାୟିକ ଧ୍ରୁବୀକରଣର ଅଭିଯାନ ଚଳାଇଛନ୍ତି, ଏହି ଘଟଣାକୁ ତା’ର ତାର୍କିକ ପରିଣାମ ବୋଲି କୁହାଯାଇପାରେ। ସରକାରୀ ପ୍ରୋତ୍ସାହନରେ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଓ ଘୃଣାକୁ ଗତ କିଛି ବର୍ଷ ମଧ୍ୟରେ ଏକଦମ୍ ସ୍ବାଭାବିକ କରି ଦିଆଯାଇଛି। ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅପମାନିତ, ପ୍ରତାଡ଼ିତ କିମ୍ବା ଆକ୍ରମଣ କରିବା ଆଜିର ଦିନରେ କୌଣସି ଗମ୍ଭୀର ଅପରାଧ ହୋଇ ଆଉ ରହିନାହିଁ। ‘ବୁଲିବାଇ’ ଓ ‘ସୁଲି ଡିଲସ୍’ ପ୍ରକରଣରେ ସାମ୍ପ୍ରଦାୟିକ ଶକ୍ତିମାନେ ମୁସଲିମ୍ ସମାଜର ସଚେତନ, ସକ୍ରିୟ, ମୁଖର ଓ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାହସ ରଖୁଥିବା ମୁସ୍ଲିମ୍ ମହିଳାମାନଙ୍କୁ ଅପମାନିତ, ପ୍ରତାଡ଼ିତ ଓ ଆତଙ୍କିତ କରି ସେମାନଙ୍କୁ ସବୁଦିନ ପାଇଁ ସାଧାରଣ ଜୀବନରୁ ବାହାର କରିଦେବାକୁ ଚାହିଁଛନ୍ତି। ହୁଏତ ଏଥିରେ ସେମାନେ କିଛି ପରିମାଣରେ ସଫଳ ବି ହୋଇଛନ୍ତି। କାରଣ ଗତ ଜୁଲାଇ ମାସରେ ‘ସୁଲି ଡିଲସ୍’ର ଉଜାଗର ହେବା ପରେ ଏଥିରେ ସ୍ଥାନ ପାଇଥିବା ମୋଟ ୮୩ ଜଣ ମହିଳାଙ୍କ ମଧ୍ୟରୁ ଅଧିକାଂଶ ଇତିମଧ୍ୟରେ ସୋସିଆଲ ମିଡିଆକୁ ସମ୍ପୂର୍ଣ୍ଣ ଛାଡ଼ି ସାରିଛନ୍ତି।
ମହିଳାଙ୍କ ଅନ୍ଲାଇନ୍ ନିଲାମୀର ଘଟଣା କେବଳ ଜଣେ ମହିଳାଙ୍କ ପ୍ରତାଡ଼ନା କିମ୍ବା ଅପମାନର ଘଟଣା ନୁହେଁ। ଏହା ସମଗ୍ର ମହିଳାସମାଜ ଏବଂ ସର୍ବୋପରି ଦେଶର ସୁରକ୍ଷା ତଥା ଆତ୍ମସମ୍ମାନ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି। ନିଜକୁ ସଭ୍ୟ ତଥା ଗଣତାନ୍ତ୍ରିକ ବୋଲି ଦାବି କରୁଥିବା ଏବଂ ନିଜର ସମ୍ବିଧାନରେ ଧର୍ମନିରପେକ୍ଷତାକୁ ଗୁରୁତ୍ୱ ଦେଉଥିବା ଦେଶରେ ଏଭଳି ଜଘନ୍ୟ ଅପରାଧକୁ କଦାପି ବରଦାସ୍ତ କରାଯାଇ ନ ପାରେ। କିନ୍ତୁ ଦୁଃଖର ବିଷୟ, ସରକାରଙ୍କ ପ୍ରତିକ୍ରିୟା ଏ ଦିଗରେ ଅତ୍ୟନ୍ତ ନୈରାଶ୍ୟଜନକ। ଯଦି ‘ସୁଲି ଡିଲସ୍’ ମାମଲାରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଦିଲ୍ଲୀ ପୋଲିସ ଛଅ ମାସ ନୀରବ ନ ରହି ଆରମ୍ଭରୁ ହିଁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥା’ନ୍ତା, ତା’ହେଲେ ଆଜି ହୁଏତ ‘ବୁଲିବାଇ’ ଆପ୍ ଦ୍ୱାରା ମହିଳାଙ୍କୁ ପ୍ରତାଡ଼ିତ ହେବାକୁ ପଡ଼ିନଥା’ନ୍ତା!
ମୋ: ୯୪୩୭୧୬୬୩୯୧