କାଳ ହେଲା ଫୋନ୍‌ କଲ୍‌

ବାହାନଗା,୨୫ା୧(ଡି.ଏନ.ଏ.)- ଶନିବାର ରାତିରେ ଆସିଲା ଏକ ଫୋନ୍‌ କଲ୍‌। କାହାକୁ କିଛି ନ ଜଣାଇ ଘରୁ ବାହାରି ଯାଇଥିଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଓଷଙ୍ଗ ଗ୍ରାମର ସୁରେନ୍ଦ୍ର ମଳିକଙ୍କ ବଡ଼ପୁଅ ଜୟନ୍ତ। ହେଲେ ସୋମବାର ଅପରାହ୍ନରେ ହାତଗୋଡ଼ ବନ୍ଧା ଅବସ୍ଥାରେ ତାଙ୍କ ମୃତଦେହ ସମୁଦ୍ର ବାଲିରୁ ଜବତ ହୋଇଛି। ସୁଚିନ୍ତିତ ଭାବେ ତାଙ୍କୁ ହତ୍ୟା କରାଯାଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଗ୍ରାମର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଫୋନ୍‌ କଲ ପାଇ ଜୟନ୍ତ ଘରୁ ବାହାରିଯାଇ ଥିଲେ ମଧ୍ୟ ରାତିରେ ଘରକୁ ଫେରି ନ ଥିଲେ। ତାଙ୍କ ସ୍ତ୍ରୀ ପାର୍ବତୀ ଓ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ଜୟନ୍ତଙ୍କ ନିଖୋଜ ବାବଦରେ ଗୋପାଳପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ପୂର୍ବଶତୃତାକୁ କେନ୍ଦ୍ର କରି ଗ୍ରାମର ୩ ଯୁବକ ତାଙ୍କୁ ଅପହରଣ କରିନେଇ ଥିବା ଅଭିଯୋଗରେ ଦର୍ଶାଇଥିଲେ। ଗୋପାଳପୁର ଫାଣ୍ଡି ପୋଲିସ୍‌ ସୋମବାର ସକାଳେ ତଦନ୍ତ କରିବା ସହିତ ଅଟାସପୁର ଝାଉଁ ଜଙ୍ଗଲରୁ ତାଙ୍କ ରକ୍ତଭିଜା ସାର୍ଟ ଜବତ କରିଥିଲା। ଅପରାହ୍ନରେ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ମାରି ଘରକୁ ଫେରୁଥିବା ବେଳେ ଅଟାସପୁର ସ୍ଥିତ ବଡ଼ଧନା ନିକଟସ୍ଥ ସମୁଦ୍ର କୂଳଠାରୁ ୧ କିି.ମି. ଦୂର ବାଲିରେ ଜୟନ୍ତଙ୍କ ମୃତଦେହ ପୋତା ଯାଇଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଖନ୍ତାପଡ଼ା ଥାନା ଆଇଆଇସି ପରେଶ୍‌ ରାଉତ ଓ ଗୋପାଳପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଜୟନ୍ତଙ୍କ ଦୁଇହାତ ଓ ଗୋଡ଼ ବନ୍ଧାଯାଇ ପଛପଟୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇ ଥିବା ଦେଖିବାକୁ ମିଳିଛି ।

Share