ବିପଜ୍ଜନକ ହେଉଛି ଇ-ବର୍ଜ୍ୟବସ୍ତୁ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଇ(ଇଲେକ୍ଟ୍ରୋନିକ)-ବର୍ଜ୍ୟବସ୍ତୁ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଦିନକୁ ଦିନ ଇଲେକ୍ଟ୍ରୋନିକ ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ଏହାର ବର୍ଜ୍ୟବସ୍ତୁ ବଢ଼ିବାରେ ଲାଗିଛି। ତେବେ ଏହି ବର୍ଜ୍ୟବସ୍ତୁ ସଂଗ୍ରହ ଓ ପୁନଃ ପ୍ରକ୍ରିୟାକରଣ ହେଉ ନ ଥିବାରୁ ଦିନକୁ ଦିନ ଇ-ବର୍ଜ୍ୟବସ୍ତୁର ବୋଝ ବଢିଚାଲିଛି। ଦେଶରେ ୨୦୧୭-୧୮ରେ ୭,୦୮,୪୪୫ ଟନ୍‌ ଇ-ବର୍ଜ୍ୟବସ୍ତୁ ବାହାରିଥିବା ବେଳେ ୨୦୧୯-୨୦ରେ ଏହା ୧୦,୧୪,୯୬୧ଟନ୍‌କୁ ବୃଦ୍ଧି ପାଇଛି। ନିକଟରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ତେବେ ପରିଚାଳନା ରୁଲ୍‌-୨୦୧୬ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୨୧ ପ୍ରକାର ବର୍ଜ୍ୟବସ୍ତୁରୁ ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି। ବିଶେଷ କରି କମ୍ପ୍ୟୁଟର ମନିଟର, ମୋବାଇଲ ଫୋନ, ଚାର୍ଜର, ମଦର କିବୋର୍ଡ, ହେଡ୍‌ଫୋନ, ଟେଲିଭିଜନ ସେଟ୍‌ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ବ୍ୟବହୃତ ଜିନିଷ ଇ-ବର୍ଜ୍ୟବସ୍ତୁ ଭାବେ ଗଣାଯାଉଛି। ତେବେ ଏହି ବର୍ଜ୍ୟବସ୍ତୁ ସଂଗ୍ରହ ଅତ୍ୟନ୍ତ ନଗଣ୍ୟ। ରିପୋର୍ଟ ଅନୁଯାୟୀ ୨୦୧୭-୧୮ରେ ୩୫,୪୨୨ଟନ୍‌ ଏବଂ ୨୦୧୮-୧୯ରେ ୧,୫୪,୨୪୨ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଏହି ସମୟରେ ସଂଗ୍ରହ ଅତ୍ୟନ୍ତ ନୈରାଶ୍ୟଜନକ ଥିବା ରିପୋର୍ଟରେ କୁହାଯାଇଛି। ୨୦୧୭-୧୮ରେ ମାତ୍ର ୨୫,୩୨୫ ଟନ୍‌ ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିବା ବେଳେ ୨୦୧୮-୧୯ରେ ୭୮,୨୮୧ ଟନ୍‌ ସଂଗ୍ରହ କରାଯାଇଛି।
ତେବେ ଗାଇଡ୍‌ଲାଇନ ଅନୁଯାୟୀ ଇଲେକ୍ଟ୍ରୋନିକ ଜିନିଷ ଉତ୍ପାଦନ କରୁଥିବା ସଂସ୍ଥା ଘରୁ ସଂଗ୍ରହ କରିବା ସହ ସେଗୁଡିକୁ ପୁନଃ ପ୍ରକ୍ରିୟାକରଣ କରିବା ନିୟମ ରହିଛି। ୨୦୨୦ ନଭେମ୍ବର ୨୬ ସୁଦ୍ଧା ୧,୬୩୦ ଉତ୍ପାଦନକାରୀ ସଂସ୍ଥା ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରିବାକୁ ପଞ୍ଜୀକୃତ ହୋଇଛନ୍ତି। ୨୦୧୭-୧୮ରେ ୬୯,୪୧୩ଟନ୍‌ ଇ-ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରିଥିବା ବେଳେ ୨୦୧୮-୧୯ରେ ୧,୬୪,୬୬୩ ଟନ୍‌ କରାଯାଇଛି। ୨୦୨୦ ସୁଦ୍ଧା ୧୮୬ଟି ଉତ୍ପାଦନକାରୀ ସଂସ୍ଥା ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରୁ ନ ଥିବାରୁ ସିପିସିବି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।
ଓଡ଼ିଶାରେ ମଧ୍ୟ ଇ-ବର୍ଜ୍ୟବସ୍ତୁ ବଡ଼ ସମସ୍ୟା ଭାବେ ଉଭା ହେଲାଣି। ରାଜ୍ୟରେ ବର୍ଷକୁ ୯,୯୨,୮୦୦ ଟନ୍‌ ଇ-ବର୍ଜ୍ୟବସ୍ତୁ ବାହାରୁଛି। ସେଥିରୁ ମାତ୍ର ୫ ପ୍ରତିଶତ ପୁନଃ ପ୍ରକ୍ରିୟାକରଣ କରାଯାଉଛି। ଓଡ଼ିଶାରେ ଇ-ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ସେପରି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। କେବଳ ସର୍କୁଲାର ଓ ଗାଇଡ୍‌ଲାଇନରେ ଏହା ସୀମିତ ରହିଛି । ରାଜ୍ୟରେ ଇ-ବର୍ଜ୍ୟବସ୍ତୁ ବଢୁଥିବା ବେଳେ ଏହାକୁ ସଂଗ୍ରହ ଓ ପୁନଃ ପ୍ରକ୍ରିୟାକରଣର ବ୍ୟବସ୍ଥା ହୋଇନାହିଁ। ଇ-ବର୍ଜ୍ୟବସ୍ତୁ ଜଳ, ସ୍ଥଳ ଓ ବାୟୁମଣ୍ଡଳ ପାଇଁ ବିପଜ୍ଜନକ। ଏହାର ସୁରକ୍ଷିତ ସଂଗ୍ରହ ଓ ପୁନଃ ପ୍ରକ୍ରିୟାକରଣ ଠିକ୍‌ ଢଙ୍ଗରେ କରା ନ ଗଲେ ଆଗାମୀ ଦିନରେ ଏହା ଭୟଙ୍କର ସମସ୍ୟା ସୃଷ୍ଟି କରିବ ବୋଲି ପରିବେଶବିତ୍‌ ଆଶଙ୍କା କରିଛନ୍ତି। ରାଜ୍ୟରେ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ୫ଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହାର ସଂଗ୍ରହ ଓ ପ୍ରକ୍ରିୟାକରଣ ବୃଦ୍ଧି ନେଇ ପଦକ୍ଷେପ ନିଆଯାଉଛି। ଶିକ୍ଷାନୁଷ୍ଠାନରେ ଇ-ବର୍ଜ୍ୟବସ୍ତୁ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରାଯାଉଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share