Categories: ଜାତୀୟ

ହିମସ୍ଖଳନରୁ ବିପଜ୍ଜନକ ହ୍ରଦ

ଡେରାଡୁନ୍‌, ୧୩।୨ : ଉତ୍ତରାଖଣ୍ଡର ଋଷିଗଙ୍ଗାରେ ଗ୍ଲେସିୟରର ଏକ ଅଂଶ ଭାଙ୍ଗିପଡ଼ି ଯେଉଁ ସ୍ଥାନରେ ମାଡ଼ ହୋଇଥିଲା ସେଠାରେ ଭୟଙ୍କର ହ୍ରଦ ସୃଷ୍ଟି ହୋଇଥିବା ସାଟେଲାଇଟ୍‌ ଚିତ୍ରରୁ ଦେଖିବାକୁ ମିଳିଛି। ଏହି ହ୍ରଦର ଆକାର ଫୁଟ୍‌ବଲ ଫିଲ୍ଡର ତିନିଗୁଣ ବୋଲି ଚିତ୍ରରୁ ଜଣାପଡ଼ିଛି। ଗତ ରବିବାର ହିମବାହ ଖସିବା ବେଳେ ପ୍ରଚୁର ପରିମାଣର ପଥର, ମାଟି,କାଦୁଅ ଋଷିଗଙ୍ଗା ନଦୀ ମଧ୍ୟକୁ ନେଇଆସିଥିଲା। ଉକ୍ତ ନଦୀରେ ଥିବା ଦୁଇଟି ଜଳବିଦ୍ୟୁତ୍‌ ପ୍ରକଳ୍ପ ଭାସିଯାଇଛି। ହିମସ୍ଖଳନ ଜନିତ ବନ୍ୟା ମୃତ୍ୟୁସଂଖ୍ୟା ଶୁକ୍ରବାର ସୁଦ୍ଧା ୩୬ରେ ପହଞ୍ଚତ୍ଥିବାବେଳେ ଏବେ ବି ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପତ୍ତା ମିଳିନାହିଁ। ତପୋବନ ଟନେଲରେ ୩୦ରୁ ଅଧିକ ଲୋକ ଫସିଥିବାବେଳେ ସେମାନଙ୍କୁ ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ଭବିଷ୍ୟତରେ ଏଭଳି ବିପତ୍ତିରୁ ରକ୍ଷା ପାଇବା ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)ର ବୈଜ୍ଞାନିକ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ୍‌) ଏବଂ ଅନ୍ୟ ସଂସ୍ଥା ଯୋଜନା କରୁଛନ୍ତି। ସେମାନେ ନୂତନ ଭାବେ ସୃଷ୍ଟ ହ୍ରଦ ନିକଟକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ହେଲିକପ୍ଟର ଏବଂ ଡ୍ରୋନ୍‌ ସହାୟତାରେ ପ୍ରକୃତ ସ୍ଥିତି ଅନୁଧ୍ୟାନ କରାଯାଉଥିବା ଏନ୍‌ଡିଆର୍‌ଏଫ୍‌ ମହାନିର୍ଦ୍ଦେଶକ ଏସ୍‌.ଏନ୍‌. ପ୍ରଧାନ କହିଛନ୍ତି।

Share