ପୁଟିନ୍‌ଙ୍କ ପାଖରେ ବିପଜ୍ଜନକ ଆଣବିକ ସୁଟକେସ୍‌, ନିମିଷକେ ରଚିବ ତାଣ୍ଡବ…

ମସ୍କୋ,୧୯।୨ : ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ପାଖରେ ୨୪ ଘଣ୍ଟା ଏକ ଆଣବିକ ସୁଟକେସ୍‌ ରହୁଛି। ଏହି ବିପଜ୍ଜନକ ସୁଟକେସ୍‌ ଦ୍ୱାରା ୬,୨୫୭ ଆଣବିକ ବୋମାକୁ ନିୟନ୍ତ୍ରଣ କରାଯାଇ ପାରିବ। ସୁଟକେଟ୍‌ ଭିତରେ ଥିବା ନିୟନ୍ତ୍ରଣ ମେସିନ୍‌ର ବଟନ୍‌ ଦବାଇଲେ ନିମିଷକେ ପୃଥିବୀରେ ଆଣବିକ ବୋମା ତାଣ୍ଡବ ରଚିବ। ଏହି ପରମାଣୁ ସୁଟକେସ ଏକ ସାଧାରଣ ବ୍ରିଫକେସ ପରି ଦେଖାଯାଇଥାଏ। ପୁଟିନଙ୍କ ଏହି ଆଣବିକ ବ୍ରିଫକେସ ୨୦୧୯ରେ ପ୍ରଥମ ଥର ପାଇଁ ଲୋକଲୋଚନକୁ ଆସିଥିଲା।

ଏହି ବ୍ରିଫକେସରେ ଥିବା ମେସିନ୍‌ରେ ନାଲି ଏବଂ ଧଳା ବଟନ ରହିଛି। ପୁଟିନ ଏହି ବଟନଗୁଡ଼ିକ ସାହାଯ୍ୟରେ ପରମାଣୁ ଆକ୍ରମଣର ଆଦେଶ ଦେଇପାରିବେ। ପୁଟିନ୍‌ଙ୍କ ସହିତ ଆଣବିକ ସୁଟକେସ୍‌ ମଧ୍ୟ ଯାତ୍ରା କରିଥାଏ। ରୁଷିଆର ଗଣମାଧ୍ୟମ ଅନୁଯାୟୀ, ଏହି ସୁଟକେସ କେବଳ ଏକ କୋଡ ମାଧ୍ୟମରେ ଖୋଲାଯାଇପାରିବ। ଏହା ୨୪ ଘଣ୍ଟା କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଥାଏ। ପୁଟିନ ଯୁଆଡେ ଯାଆନ୍ତି, ଜଣେ ସୁରକ୍ଷା ଅଧିକାରୀ ଏହି ସୁଟକେସ୍‌କୁ ସବୁବେଳେ ସାଙ୍ଗରେ ତାଙ୍କ ସହିତ ବୋହି ନେଇ ଯାଇଥାନ୍ତି ।

ଆଣବିକ ଆକ୍ରମଣ କରିବା ପାଇଁ ପୁଟିନଙ୍କୁ ସାହାଯ୍ୟ କରିବା ଲାଗି ଏହି ଅଧିକାରୀ ତାଲିମପ୍ରାପ୍ତ। ରୁଷୀୟ ଭାଷାରେ, ଏହି ସୁଟକେସ୍‌କୁ ଚେଗେଟ କୁହାଯାଏ। ଯାହା ଏକ ପର୍ବତ ନାମରେ ନାମିତ ହୋଇଛି। ହାଇପରସୋନିକ କ୍ଷେପଣାସ୍ତ୍ର ଠାରୁ ଯୁଦ୍ଧ ବିମାନ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ଏହା ଦ୍ୱାରା ନିୟନ୍ତ୍ରିତ ହୋଇ ପାରିଥାଏ।
୧୯୮୦ଦଶକରେ ଏହି ସୁଟକେସ୍‌କୁ ବିକଶିତ କରା ଯାଇଥିଲା। ପୁଟିନଙ୍କ ସହିତ କେବଳ ଗୋଟିଏ ସୁଟକେସ ଦେଖାଯାଏ କିନ୍ତୁ ଏହାର ମୋଟ ସଂଖ୍ୟା ୩। ଏହି ତିନୋଟି ସୁଟକେସ୍‌କୁ କେବଳ ବରିଷ୍ଠ ଅଧିକାରୀମାନେ ଖୋଲିପାରିବେ। ଏହି ଅଧିକାରୀମାନଙ୍କ ମଧ୍ୟରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ, ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ୍‌ ମୁଖ୍ୟ ଅନ୍ତର୍ଭୁକ୍ତ।
୧୯୮୩ରେ ଆଣବିକ ସୁଟକେସ କାର୍ଯ୍ୟ ଆରମ୍ଭ କରିଥିଲା। ରୁଷିଆର ରାଷ୍ଟ୍ରପତିଙ୍କ ପରି ଆଣବିକ ଆକ୍ରମଣ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ସହ ମଧ୍ୟ ଏକ ବ୍ରିଫକେସ ସବୁବେଳେ ରହିଥାଏ।

Share