ଅଙ୍ଗନୱାଡି କେନ୍ଦ୍ରକୁ ବିପଜ୍ଜନକ ରାସ୍ତା

ସୁନାବେଡା,୨୧ା୯(କୃତ୍ତିବାସପ୍ରଧାନ): ସୁନାବେଡା ପୌର ପରିଷଦ ଅନ୍ତର୍ଗତ ସୁନାବେଡା ଶିଶୁ ସମନ୍ବିତ ଅଧିକାରୀଙ୍କ ଅଧୀନରେ ୮୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିରୁ ସେମିଳିଗୁଡାର ଗୋପବନ୍ଧୁ ନଗରରେ ଥିବା ୩ ନଂ. ଅଙ୍ଗନୱାଡି କେନ୍ଦ୍ର ଅନ୍ୟତମ। ଏହି କେନ୍ଦ୍ରକୁ ଯିବାକୁ ଥିବା ରାସ୍ତା ବିପଜ୍ଜନକ ହୋଇପଡିଛି। ପାଠ ପଢିବାକୁ ଆସୁଥିବା ୪୦ ଜଣ କୁନି କୁନି ପିଲା ଏହି ରାସ୍ତାରେ ଯାତାୟାତ ବେଳେ କେତେବେଳେ ଯେ ଅଘଟଣର ଶିକାର ନ ହେବେ ସେ ନେଇ ସନ୍ଦେହ ପ୍ରକାଶ ପାଇଛି। କେନ୍ଦ୍ରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୁଇ ପାଶର୍‌ବରେ ବଡବଡ ଖାଲମାନ ରହିଛି। ଏହି ଅଙ୍ଗନୱାଡି କେନ୍ଦ୍ରରେ ମାସରେ ଥରେ ଗୋପବନ୍ଧୁ ନଗରର ୨,୩,୫ ନଂ ଓ କାକିଗାଁର ୧,୨,୩ ନଂ. ଅଙ୍ଗନୱାଡି କେନ୍ଦ୍ରର ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପ୍ରତିଷେଧକ ଟିକା ଦେବାର ବ୍ୟବସ୍ଥା ହୋଇଛି। ବିଗତ ଦିନରେ ଟିକା ନେବାକୁ ଆସୁଥିବା କିଛି ଗର୍ଭବତୀ ମହିଳା ଖାଲରେ ପଡି ଆହତ ହୋଇଥିବାର ନଜୀର ମଧ୍ୟ ରହିଛି। ଅଙ୍ଗନୱାଡି କେନ୍ଦ୍ରକୁ ଭଲ ରାସ୍ତା ନିର୍ମାଣ ପାଇଁ ବହୁବାର ଦାବି ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୌର ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଏନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମଳିନି। ଏସମ୍ପର୍କରେ ସୁନାବେଡା ସିଡିପିଓ ନଳିନୀ ବେହେରାଙ୍କୁ ପଚାରିବାରୁ ସେ କହିଲେ, ସେ ୧୫ ଦିନ ହେବ ନୂଆ କରି ଏଠାକୁ ଆସିଛିି। ଅଭିଯୋଗ ସମ୍ପର୍କରେ ଠିକ୍‌ ଭାବେ କିଛି ଜାଣି ନାହିଁ। ତେବେ ସମ୍ପୃକ୍ତ କେନ୍ଦ୍ର ପରିଦର୍ଶନ କରି ଉପରିସ୍ଥ ଅଧିକାରୀଙ୍କୁ ଏନେଇ ଜଣାଇବି ବୋଲି ସେ କହିଛନ୍ତି।