ବିପଦସଙ୍କୁଳ ସ୍କୁଲ, ଶିକ୍ଷାଦାନରେ ସମସ୍ୟା

ରାଉରକେଲା,୨୧।୭(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ କଲୋନୀର ଡିଏଲ ବ୍ଲକରେ ଥିବା ବାସନ୍ତୀ ବିଦ୍ୟାପୀଠ ପ୍ରାଥମିକ ସ୍କୁଲ ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ଏହି ସ୍କୁଲରେ ମୌଳିକ ସୁବିଧା ନ ଥିବାରୁ ପିଲାମାନଙ୍କ ପାଠପଢାରେ ସମସ୍ୟା ହେଉଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ୧୯୮୬ ଅକ୍ଟୋବର ୩ ରେ ଏହି ସ୍କୁଲ ଉଦଘାଟିତ ହୋଇଥିଲା। ଏଠାରେ ପ୍ରଧାନ ଶିକ୍ଷକଙ୍କ ଅଫିସ ଗୃହ ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଗୃହ ନିର୍ମାଣ କରାଯାଇଥଲା। ସ୍କୁଲ ଖୋଲିବାର ୧୦ ବର୍ଷ ସବୁ ଠିକ୍‌ଠାକ୍‌ ଚାଲିଥିଲା। ସମୟ କ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଭାଙ୍ଗିଯିବା ଅବସ୍ଥାକୁ ଆସିଗଲାଣି। ସବୁ ଶ୍ରେଣୀ ଗୃହ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖଣ୍ଡ ଖସୁଥିବା ବେଳେ କାନ୍ଥଗୁଡିକ ଫାଟି ଆଁ କରିଛି। ବତ୍ତର୍ମାନ ସ୍କୁଲ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ନିକଟରେ ଥିବା ଏକ ଛୋଟ ଘରେ ପ୍ରଥମରୁ ପଞ୍ଚମ ଯାଏ ୭୦ ଜଣ ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଯାଉଛି। ଏତେ ସଂଖ୍ୟକ ବିଦ୍ୟାର୍ଥୀଙ୍କ ପାଇଁ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଥିବାରୁ ଶିକ୍ଷାଦାନରେ ଅସୁବିଧା ସମ୍ମୁଖୀନ ହେଉଛି। ସେହିପରି ସନ୍ଧ୍ୟା ହେଲେ ସ୍କୁଲ ପଡିଆରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ସକାଳ ସ୍କୁଲ ଖୋଲିଲେ ବିଦ୍ୟାଳୟ ପରିସରରେ ମଦବୋତଲ ମିଳୁଛି। ଏ ନେଇ ସ୍କୁଲର ପୁରାତନ ଛାତ୍ର ସଂଗ୍ରାମ କେଶରୀ ପାଣିଗ୍ରାହୀ କୁହନ୍ତି, ମୁ ୧୯୯୨ରୁ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଯାଏ ପାଠ ପଢ଼ିଥିଲି। ବର୍ତ୍ତମାନ ସ୍କୁଲ ପରିସ୍ଥିତି ଦେଖି ଦୁଃଖ ଲାଗୁଛି। ଏଥିରେ ସୁଧାର ଆସିବା ନିତାନ୍ତ ଆବଶ୍ୟକ। ସେହିପରି ଅନ୍ୟ ଜଣେ ଛାତ୍ର ଅମରେଶ କୁମାର ଷଢ଼ଙ୍ଗୀ କୁହନ୍ତି, ବାସନ୍ତୀ ବିଦ୍ୟାପୀଠ ସ୍କୁଲରେ ମୁ ୭ ବର୍ଷ ପାଠ ପଢ଼ିଛି ା ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ସ୍କୁଲ ପ୍ରତି ଶିକ୍ଷା ବିଭାଗ ଦୃଷ୍ଟିଦେବା ଆବଶ୍ୟକ। ଏ ସମ୍ପର୍କରେ ସୁନ୍ଦରଗଡ ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ଏ ନେଇ ମୋ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଆଗାମୀ ଦିନରେ ମୁ ରାଉରକେଲା ଗସ୍ତ କରି ଉକ୍ତ ବିଦ୍ୟାଳୟ ପରିଦର୍ଶନ କରି ସମସ୍ୟା ସମାଧାନ କରିବି।