Categories: ଜାତୀୟ

ମଙ୍କିପକ୍ସ ପାଇଁ ଦାନିଶ ସ୍ମଲ୍‌ପକ୍ସ ଟିକା: ପୁନାଓ୍ବାଲା

ପୁଣେ,୨୭।୭: ଦେଶରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଗାମୀ ଦିନରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା ଉପୁଜୁଛି। ତେବେ ଏହାର ମୁକାବିଲା ପାଇଁ ଦାନିଶ ସ୍ମଲ୍‌ପକ୍ସ ଟିକା ବ୍ୟବହାର କରାଯାଇପାରିବ ବୋଲି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଟିକା ନିର୍ମାଣକାରୀ କମ୍ପାନୀ ସିଇଓ ଅଦାର ପୁନାଓ୍ବାଲା କହିଛନ୍ତି। ଏ ନେଇ ସେରମ କମ୍ପାନୀ ପକ୍ଷରୁ ଲକ୍ଷାଧିକ ଦାନିଶ ସ୍ମଲ୍‌ପକ୍ସ ଭାକ୍ସିନ କିଣାଯାଇଥିବା ସେ ପ୍ରକାଶ କରିଛନ୍ତି। କିଛିମାସରେ ଟିକା ଭାରତରେ ନିର୍ମାଣ କରାଯିବ ବୋଲି ଦାନିଶ ଔଷଧ ନିର୍ମାଣକାରୀ କମ୍ପାନୀ ବାଭାରିଆନ ନୋରଡିକ୍‌ ସହ ବିଚାରବିମର୍ଶ ଜାରିଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ କୌଣସି ଆଲୋଚନା ହୋଇ ନ ଥିବାବେଳେ ଭାକ୍ସିନର ମୂଲ୍ୟ ମଧ୍ୟ ଧାର୍ଯ୍ୟ କରାଯାଇ ନ ଥିବା ପୁନାଓ୍ବାଲା କହିଛନ୍ତି। ଅନ୍ୟପଟେ ନେଭୋଭାକ୍ସ ଟିକା ନିର୍ମାଣକାରୀ କମ୍ପାନୀ ମଙ୍କିପକ୍ସ ଲାଗି ମେସେଞ୍ଜର ଆର୍‌ଏନ୍‌ଏ (ଏମ୍‌ଆର୍‌ଏନ୍‌ଏ) ଭାକ୍ସିନ ତିଆରି କରିବାକୁ ଯୋଜନା କରୁଥିବାବେଳେ ସେରମ କର୍ତ୍ତୃପକ୍ଷ ନୋଭୋଭାକ୍ସ ସହ ସମ୍ପର୍କରେ ଥିବା କୁହାଯାଉଛି।

Share