Categories: ଜାତୀୟ

ଦାରା ସିଂଙ୍କ କ୍ଷମା ଆବେଦନ: ସୁପ୍ରିମକୋର୍ଟ ଲୋଡ଼ିଲେ ଓଡ଼ିଶା ମତ

ନୂଆଦିଲ୍ଲୀ,୨୧ା୮(ପିଟି):ବହୁ୍‌ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରି ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କର ୨ ନାବାଳକ ପୁତ୍ରଙ୍କ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ ପାଇଥିବା ରବୀନ୍ଦ୍ର ପାଲ୍‌ ଓରଫ ଦାରା ସିଂଙ୍କ କ୍ଷମା ଆବେଦନ ଉପରେ ଓଡ଼ିଶା ସରକାରଙ୍କ ମତ ଲୋଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ। ଜେଲରେ ୨୪ବର୍ଷରୁ ଊର୍ଦ୍ଧ୍ୱ ସମୟ କାଟି ସାରିଥିବାରୁ କ୍ଷମା କରି ମୁକ୍ତ କରିବାକୁ ଦାରା ସିଂ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ଓଡ଼ିଶା ସରକାରଙ୍କଠାରୁ ୨ ସପ୍ତାହ ମଧ୍ୟରେ ଉତ୍ତର ଚାହିଁଛନ୍ତି। ଦାରାଙ୍କ ପାଇଁ ମାମଲା ଲଢ଼ୁଥିବା ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ, ଦାରା ୨୪ବର୍ଷ ୬ମାସ ଜେଲ୍‌ଦଣ୍ଡ ଭୋଗିସାରିଥିବାରୁ ତାଙ୍କ କ୍ଷମା ଆବେଦନକୁ ଗ୍ରହଣ କରାଯାଇ କୋହଳ ନୀତି ଲାଗୁ କରି ମୁକ୍ତ କରାଯାଉ। ଏହି ଯୁକ୍ତି ଶୁଣିବା ପରେ ରାଜ୍ୟ ସରକାରଙ୍କଠାରୁ ୨ସପ୍ତାହ ମଧ୍ୟରେ ଉତ୍ତର ଲୋଡ଼ା ଯାଇଥିବା ଖଣ୍ଡପୀଠ କହିଛନ୍ତି।
ପ୍ରକାଶ ଯେ, ୧୯୯୯ ଜାନୁଆରୀ ୨୨ ତାରିଖ ମଧ୍ୟରାତିରେ କେନ୍ଦୁଝର ଜିଲା ମନୋହରପୁର ଗ୍ରାମରେ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ୧୧ବର୍ଷୀୟ ପୁଅ ଫିଲିପ୍‌ ଏବଂ ୮ବର୍ଷୀୟ ପୁଅ ତିମୋଥି ଏକ ଗାଡ଼ିରେ ଶୋଇଥିଲେ। ଦାରାଙ୍କ ନେତୃତ୍ୱରେ କେତେଜଣ ଲୋକ ଉକ୍ତ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଗାଡ଼ି ଭିତରେ ୩ଜଣ ଯାକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ଘଟଣାରେ ଦାରା ମୁଖ୍ୟ ଅଭିଯୁକ୍ତ ଥିଲେ। ୨୦୦୩ରେ ସିବିଆଇ କୋର୍ଟ ଦାରାଙ୍କୁ ଫାଶୀ ଦଣ୍ଡ ଦେଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଉକ୍ତ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏପରି କି ହାଇକୋର୍ଟଙ୍କ ଏହି ରାୟକୁ ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ। ଦାରାଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମ୍‌ ମଧ୍ୟ ଏହି ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଏହି ମାମଲାରେ ଅନ୍ୟ ୧୧ଜଣଙ୍କୁ ପ୍ରମାଣ ଅଭାବରୁ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି।

Share