Categories: ଜାତୀୟ

ତାଲିବାନ୍‌ର ଦୁଃସାହସ, ଭାରତକୁ ଦେଖାଇଲା ନାଲି ଆଖି…

ନୂଆଦିଲ୍ଲୀ,୧୪।୮: ଆଫଗାନିସ୍ତାନରେ ତାଲିବାନର ପ୍ରଭାବ ବୃଦ୍ଧି ପାଉଛି। ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଧାହାର ଏବେ ତାଲିବାନ କବ୍‌ଜାରେ ରହିଛି। କାବୁଲ ସୀମାବର୍ତ୍ତୀ ଲେଗାରର ପ୍ରାଦେଶିକ ରାଜଧାନୀ ଫୁଲ-ଇ-ଆଲାମରେ ତାଲିବାନ ସଦସ୍ୟ ପ୍ରବେଶ କରିଛନ୍ତି। ଏହାଯୋଗୁ ସଂଗଠନ ଆଧିପତ୍ୟ ବୃଦ୍ଧି ପାଇବାରୁ ଆଫଗାନିସ୍ତାନରେ ଆତଙ୍କ ଖେଳିଯାଇଛି। ଦେଶର ସମସ୍ୟା ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ଭାରତ ମଧ୍ୟ ଚିନ୍ତିତ। ତେବେ ତାଲିବାନର ଦୁଃସାହସ ନେଇ ଅନ୍ତର୍ଜାତୀୟସ୍ତରରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସଂଗଠନ ଭାରତକୁ ନାଲି ଆଖି ଦେଖାଇଛି। ଏହା ଚେତାବନୀ ଦେଇଛି, ଯଦି ଭାରତ ଆଫଗାନିସ୍ତାନକୁ ନିଜର ସେନା ପଠାଏ ତେବେ ଭଲ ହେବ ନାହିଁ। ସଂଗଠନର ମୁଖପାତ୍ର ମହମ୍ମଦ ସୁହେଲ ଶାହିନ କହିଛନ୍ତି, ଭାରତ ଆଫଗାନିସ୍ତାନ ବିରୋଧରେ ସାମରିକ କାର୍ଯ୍ୟକଳାପ କରିବା ଅନୁଚିତ। ଆଫଗାନିସ୍ତାନରେ ଅନ୍ୟ ଦେଶର ସୈନ୍ୟ ବାହିନୀର ଉପସ୍ଥିତିର ଫଳାଫଳ ଏବେ ଜଣାପଡ଼ିଛି। ତେଣୁ ଭାରତ ଏଭଳି ନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଫଗାନିସ୍ତାନରେ ଭାରତ ପକ୍ଷରୁ ଜାରି ରହିଥିବା ବିକାଶ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଦେଶର ଜାତୀୟ ପ୍ରକଳ୍ପରେ ଭାରତ ସରକାର ସାହାଯ୍ୟ କରୁଛନ୍ତି। ଅତୀତରେ ମଧ୍ୟ ଭାରତ ସରକାର ବହୁ ସାହାଯ୍ୟ କରିଛନ୍ତି। ଏହା ଏକ ପ୍ରଶଂସା ଯୋଗ୍ୟ ପଦକ୍ଷେପ। ତାଲିବାନ ସହ ଭାରତ ଆଲୋଚନା କରିବାକୁ ଚାହୁଁଥିବା ଖବର ଉପରେ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ, ଭାରତୀୟ ପ୍ରତିନିଧି ଦଳ ଆମ ପ୍ରତିନିଧିଙ୍କୁ ଭେଟିବା ନେଇ ଶୁଣାଯାଉଛି। ତେବେ ଏନେଇ ଅଧିକ ତଥ୍ୟ ତାଙ୍କୁ ଅଜଣା ଥିବା ସେ କହିଛନ୍ତିି। କାହାକୁ ଆଫଗାନିସ୍ତାନ ମାଟି ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଏହା ସହିତ ସେ ନିଶ୍ଚିତ କରିଛନ୍ତି ଯେ ତାଲିବାନ ପକ୍ଷରୁ ଦୂତାବାସ ଏବଂ କୂଟନୀତିଜ୍ଞ ମାନଙ୍କ ପାଇଁ କୌଣସି ବିପଦ ନାହିଁ।

Share