ଆଜି ଦାରିଙ୍ଗବାଡ଼ି ବନ୍ଦ

ଦାରିଙ୍ଗବାଡ଼ି,୧୧ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି।  ସୋମବାର ସକାଳ ୭ଟାରୁ ଦଳ ପକ୍ଷରୁ ବିଭିନ୍ନ ଛକରେ  ଗାଡ଼ିମୋଟର ବନ୍ଦ କରିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଫଳରେ ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ,ବ୍ରହ୍ମପୁର,ଭଞ୍ଜନଗର,ଫୁଲବାଣୀ ଆଦି ଅଞ୍ଚଳକୁ ଗାଡ଼ିମୋଟର ବନ୍ଦ ରହିଛି।

ସମାଥିର ସହକାରୀ ନିର୍ବାହୀଯନ୍ତ୍ରୀ ବବୃବାହନ ବେହେରାଙ୍କ ବଦଳି ସହ ସରକାରୀ ଜମିରେ ଜବରଦଖଲ କରି ଘର ନିର୍ମାଣକୁ ବିରୋଧ କରାଯିବା ସହ ଜିଲା ପ୍ରଶାସନ ନିଜ ପ୍ରତିଶ୍ରୁତି ରଖିବାରେ ବିଫଳକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସୂଚନାଯୋଗ୍ୟ,ଗତ ୧୬ରେ କଂଗ୍ରେସ ପକ୍ଷରୁ ସମିତିର ଅଧ୍ୟକ୍ଷା ରୁଦା ମଲ୍ଲିକଙ୍କ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂଙ୍କ ସମେତ ଏକାଧିକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନରେ ବସିଥିଲେ। ତେବେ ସ୍ଥାନୀୟ ପ୍ରଶାସନର ସହଯୋଗରେ ଜିଲା ପ୍ରଶାସନ ପକ୍ଷରୁ ଚଳିତ ୨ରେ ସଂପୃକ୍ତି ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ବଦଳି କରିବା ସହ ଜମି ଜବରଦଖଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା ପ୍ରଶାସନ ପଦକ୍ଷେପ ନେବାରେ ବିଫଳ। ଏନେଇ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି। ଯଦି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ବଡ଼ଧରଣର ଆନ୍ଦୋଳନ କରାଯିବ। ସେଥିପାଇଁ ଜିଲା ପ୍ରଶାସନ ଦାୟୀ ରହିବେ ବୋଲି ଦଳର ପୂର୍ବତନ ସମିତିସଭ୍ୟ କାଳିପ୍ରସାଦ ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷା ବିଳାସିନୀ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏହି ବନ୍ଦ ଡାକରା ବେଳେ ଦଳର ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Share