ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି। ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସକାଳ ୭ଟା ସୁଦ୍ଧା ପାରଦ ୯ ଡିଗ୍ରୀ ରହିଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାଠାରୁ ଯଥେଷ୍ଟ କମ୍‌ ରହିଥିବା ଜଣାପଡ଼ିଛି। ଶୀତବସ୍ତ୍ର କାମରେ ଆସୁ ନ ଥିବା ବେଳେ ଏବେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଇଁ ନିଆଁ ଭରସା ପାଲଟିଛି।

ଅଞ୍ଚଳରେ ଗରିବ ରେଖାତଳେ ଥିବା ବୃଦ୍ଧାବୃଦ୍ଧଙ୍କୁ ଅଧିକ ଶୀତ କଷ୍ଟ ଦେଉଥିବା ବେଳେ କାମଧନ୍ଦା ପାଇଁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ସନ୍ଧ୍ୟା ହେଲେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ଅପରାହ୍ନ ୪ଟା ପରଠାରୁ ଶୀତ ବୃଦ୍ଧି ପାଇବା ସହ ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଥରାଉଛି। ବାହାରେ କାକର ପଡୁଥିବାରୁ ଜାଡ଼ ଅଧିକ ଅନୁଭୂତ ହେଉଛି। ସ୍ଥାନୀୟ ଲୋକଙ୍କୁ ଶୀତ କଷ୍ଟ ହେଉଥିବା ବେଳେ ଶୀତର ମଜା ନେବା ପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଅପୂର୍ବ ସୌନ୍ଦର୍ଯ୍ୟକୁ ପସନ୍ଦ କରିବା ସହ ଏହାର ପରିବେଶ ଜଙ୍ଗଲ ଆଦି ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି।

Share