ଦଶହରା ପାଇଁ ଦାରିଙ୍ଗବାଡ଼ି-ସିମନବାଡ଼ି ଉତ୍ସବମୁଖର, ଆରମ୍ଭ ହେଲା ମା’ଙ୍କ ଅଷ୍ଟମୀ ପୂଜା

ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏବେ ଚାରିଆଡ଼େ ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହିଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ। ଘରେ ଘରେ ଏଥିପାଇଁ ଉତ୍ସାହ ଦେଖାଯାଇଛି। ଦାରିଙ୍ଗବାଡ଼ି ଚାରିଛକଠାରେ ସପ୍ତମୀଠାରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ସିମନବାଡ଼ିଠାରେ ଗୁରୁବାର ଅଷ୍ଟମୀ ପୂଜା ଆରମ୍ଭ ହୋଇଛି। ଦାରିଙ୍ଗବାଡ଼ିଠାରେ ବୁଧବାର ଅପରାହ୍ନରେ ବିରାଟ ପଟୁଆରରେ ଶିବମନ୍ଦିର ପୋଖରୀକୁ ଯାଇ ସେଠାରୁ ଇନ୍ଦ୍ରଦେବତା ବରଣ କରାଯାଇ କଳସରେ ଜଳ ଉଠାଯାଇଥିଲା। ପରେ ଗ୍ରାମ ଦେବାତା ମା’ପଟ୍ଟାଖଣ୍ଡାଙ୍କ ଅଜ୍ଞାମାଳ ନେଇ ଅସ୍ଥାୟୀ ଦୁର୍ଗା ମଣ୍ଡପଠାରେ ପହଞ୍ଚିଥିଲେ। ସେଠାରେ ମା’ଦୁର୍ଗାଙ୍କ ମୃଣାୟମୂର୍ତ୍ତିକୁ ଜୀବନ୍ୟାସ ଦିଆଯାଇଥିଲା। ସେହିପରି ଅଷ୍ଟମୀ ତିଥିରେ ମା’ଙ୍କ ହୋମଯଜ୍ଞ ସହ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ଦାରିଙ୍ଗବାଡ଼ିରେ ମୁଖ୍ୟ ପୂଜକ ବୁଲୁ ତ୍ରିପାଠୀ ଏବଂ ଚନ୍ଦନ ତ୍ରିପାଠୀ ପୂଜାର୍ଚ୍ଚନା ସମ୍ପାଦନା କରୁଥିବା ବେଳେ ଶୁକ୍ରବାର ଶନିବାର ଓ ରବିବାର ନବମୀ, ଦଶମୀ ପୂଜା କରାଯିବ ବୋଲି ମୁଖ୍ୟ ପୁରୋହିତ ବୁଲୁ ତ୍ରିପାଠୀ କହିଛନ୍ତି।
ସେହିପରି ସିମନବାଡ଼ିଠାରେ ମଧ୍ୟ ଭାଇଚାରାରେ ଏହି ଯାତ୍ରା ଦୀର୍ଘବର୍ଷ ହେଲା ପାଳନ କରାଯାଉଛି। ବିଭିନ୍ନ ଜାତି, ଧର୍ମର ଲୋକ ଏହି ପର୍ବରେ ସାମିଲ ହୋଇ ପ୍ରତିବର୍ଷ ପାଳନ କରୁଛନ୍ତି। ଚଳିତ ବର୍ଷ ମଧ୍ୟ ଜଣେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ତଥା ସିଏନ୍‌ଆଇ ଚର୍ଚ୍ଚର ସଦସ୍ୟ ସାଧୁ ନାୟକଙ୍କ ନେତୃତ୍ୱରେ ସିମନବାଡ଼ିଠାରେ ଏହି ପର୍ବ ବଡ଼ ଧୂମଧାମ୍‌ରେ ପାଳନ କରାଯାଉଥିବା ଜଣାପଡ଼ିଛି। ଗୁରୁବାର ଗ୍ରାମଦେବତୀ ମା’ ପଟ୍ଟାଖଣ୍ଡାଙ୍କ ନିକଟକୁ ବିରାଟ ପଟୁଆରରେ ଯାଇ ଆଜ୍ଞାମାଳ ଆଣିବା ସହ ନିକଟସ୍ଥ ନଦୀରୁ କଳସରେ ଜଳ ଉଠାଯାଇ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ସେଠାରେ ଜୀବନ୍ୟାସ ସହ ରୀତିନୀତିରେ ପୂଜାର୍ଚ୍ଚନା କରାଯିବ ବୋଲି ମୁଖ୍ୟ ପୁରୋହିତ ସନ୍ତୋଷ କୁମାର ମିଶ୍ର କହିଛନ୍ତି। ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟିର ସାଧୁ ନାୟକଙ୍କ ସମେତ ସରୋଜ ସାହୁ କହିଛନ୍ତି। କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ବିନୋଦ ସାହୁ, ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ବାଥଲାମ ନାୟକ ପ୍ରମୁଖ ପରିଚାଳନା କରୁଛନ୍ତି।

Share