ଆସୁଛି ଶାରଦୀୟ ଛୁଟି: ଦାରିଙ୍ଗବାଡ଼ିରେ ହେବ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ପର୍ଯ୍ୟଟନ କ୍ଷେତ୍ର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇପଡ଼ିଛି। ଏବେ ପାର୍ବଣ ଋତୁ ଆସିଯାଇଥିବା ବେଳେ ଆଗକୁ ଆସୁଛି ଶାରଦୀୟ ଛୁଟି। ଛୁଟି କାଟିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ହୋଟେଲ, ଲଜ୍‌, ରେଷ୍ଟୁରାଣ୍ଟ ଆଦି ଆଗୁଆ ବୁକିଂ କରିସାରିଛନ୍ତି। ସମସ୍ତ ପ୍ରକାର ବ୍ୟବସାୟୀ ବ୍ୟବସାୟ କରିବାକୁ ବିଭିନ୍ନ ସାମଗ୍ରୀ ବିଶେଷକରି ଜଙ୍ଗଲଜାତୀୟ ସାମଗ୍ରୀ ସହ ବିଶ୍ୱ ବିଖ୍ୟାତ କନ୍ଧମାଳ ହଳଦୀ ଆଦି ପ୍ରସ୍ତୁତ କରି ରଖିଛନ୍ତି। ସେହି କ୍ରମରେ ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନ ମଧ୍ୟ ପର୍ଯ୍ୟଟକଙ୍କୁ କିଭଳି ପର୍ଯ୍ୟଟନକ୍ଷେତ୍ର ଅଧିକ ଆକୃଷ୍ଟ କରିବ ସେନେଇ ହିଲ୍‌ଭିୟୁ ପାର୍କର ଫାଉଣ୍ଟେନ ସମେତ ନୂତନ ଭାବେ ଶିଶୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନୂତନ ଭାବେ ଟୟ ଟ୍ରେନ୍‌ ସାମିଲ ହୋଇଛି।
ସେହିପରି ୮୫ ଲକ୍ଷ ବିନିମୟରେ ଡୁଲୁରୀ ପାଇନ ବଣର ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିସହିତ ଋଷିମାଳ ପାହାଡ଼ର ସୌନ୍ଦର୍ଯ୍ୟକରଣ ସହ ଉନ୍ନୟନ କାର୍ଯ୍ୟକୁ ଜୋର୍‌ଦାର କରାଯିବା ସହ ପର୍ଯ୍ୟଟକଙ୍କ ସାମାଜିକ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।