ଦାରିଙ୍ଗବାଡ଼ି,୫।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶନିବାର ସନ୍ଧ୍ୟାର ଶୀତ ମହୋତ୍ସବ ଉଦ୍ଘାଟିତ ହେବ। ଏନେଇ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ କମିଟିର ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କମିଟି ସଭାପତି ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଅଧ୍ୟକ୍ଷତା କରଥିଲେ। କାର୍ଯ୍ୟକ୍ରମକୁ କମିଟି ସମ୍ପାଦକ ତଥା ବିଡିଓ ଗଦାଧର ପାତ୍ର ପରିଚାଳନା କରିଥିଲେ। ଏହ ଅବସରରେ ଉତ୍ସବ ପାଇଁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା।
ଏହି ଅବସରରେ ଶୀତ ମହୋତ୍ସବର ପ୍ରତୀକ, ପୋଷ୍ଟର ଏବଂ ବ୍ୟାନର ଉନ୍ମୋଚିତ କରାଯିବା ସହ ପ୍ରଚାର ଗାଡ଼ିକୁ ବିଧାୟକ ଉଦ୍ଘାଟନ କରିଥିଲେ। ୫ ଦିନ ଧରି ମହୋତ୍ସବ ଚାଲିବ। ମହୋତ୍ସବରେ ସାଂସ୍କୃତିକ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲା ଓ କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରୁ ଶିଶୁ କଳାକାରଙ୍କ ସମେତ କୋରାପୁଟ ଢେମସା, କଳାହାଣ୍ଡି ଘୁମୁରା, ପୁରୀରୁ ଗୋଟିପୁଅ ନୃତ୍ୟ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଆଦି ଆକର୍ଷଣ ରହିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି କୌଶିକ ମାଝି, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ବିଇଓ ରସାନନ୍ଦ କର, ଯୋଗାଣ ନିରୀକ୍ଷକ ନୀହାର ରଞ୍ଜନ ବେହେରା, ସିଡିପିଓ ଅଞ୍ଜଳି ବେହେରାଙ୍କ ସମେତ ବଣିକ ସଂଘ, ହୋଟେଲ ସଂଘ, ସରକାରୀ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।