Categories: ଖେଳ

ମେଲବୋର୍ନ ଆକାଶରେ କଳା ବାଦଲ, ଫାଇନାଲ ଲଢ଼େଇ ରିଜର୍ଭ ଦିବସରେ ହେବା ଆଶଙ୍କା…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପରେ ବର୍ଷା ଯୋଗୁଁ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଫାଇନାଲ ମ୍ୟାଚ ନେଇ ଆଶଙ୍କା ଦେଖାସେଇଛି। ମେଲବୋର୍ନରେ ହାଲୁକା ବର୍ଷା ହେଉଛି, କିନ୍ତୁ କଳା ବାଦଲ ସମଗ୍ର ସହରକୁ ଘୋଡାଇ ରଖିଛି। ଅନ୍ତିମ ମ୍ୟାଚ ସମୟରେ ବର୍ଷା ହେବା ନେଇ ଆଲୋଚନା ହେଉଛି । ତେକେ ପାଗ ଭଲ ହେବ ଏବଂ ସୁଧାର ଆସିବ ବୋଲି କ୍ରିକେଟ ପ୍ରଶଂସକମାନେ ଆଶା କରୁଛନ୍ତି। ତେବେ ମେଲବୋର୍ନର ପାଗରେ ଉନ୍ନତି ଦେଖାଯାଉ ନାହିଁ । ଏଭଳି ସ୍ଥିତି ଲାଗି ରହିଲେ ଫାଇନାଲ ମ୍ୟାଚକୁ ରିଜର୍ଭ ଦିନକୁ ସ୍ଥାନାନ୍ତର କରିବାକୁ ପଡିପାରେ।

ସନ୍ଧ୍ୟାରେ ଲଗାତାର ବର୍ଷା ହେବାର ସମ୍ଭାବନା ଅଛି। ମେଲବୋର୍ନରେ ରବିବାର ସକାଳେ ଖରା ହୋଇଥିଲେ ମଧ୍ୟ କିଛି ସମୟ ପରେ ମେଘ ସହରକୁ ଘୋଡାଇବା ଆରମ୍ଭ କରିଥିଲା। ପରେ ହାଲୁକା ବର୍ଷା ମଧ୍ୟ ଆରମ୍ଭ ହୋଇଛି। ଅପରାହ୍ନ ୫:୩୦ ରୁ ଲଗାତାର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅଷ୍ଟ୍ରେଲିଆର ସମୟ ଅନୁଯାୟୀ, ମ୍ୟାଚ ସନ୍ଧ୍ୟା ୭:୦୦ରୁ ଆରମ୍ଭ ହେବ ଏବଂ ଯଦି ଆରମ୍ଭ ହେବାର ଦେଢ଼ ଘଣ୍ଟା ପୂର୍ବରୁ ବର୍ଷା ଆରମ୍ଭ ହୁଏ, ତେବେ ମ୍ୟାଚ ଠିକ ସମୟରେ ଆରମ୍ଭ କରିବା ସମ୍ଭବ ନୁହେଁ । ଯଦି ଲଗାତାର ବର୍ଷା ଜାରି ରହେ, ତେବେ ମ୍ୟାଚ ଆୟୋଜନ କରିବା ସମ୍ଭବ ହେବ ନାହିଁ।

ସୋମବାର ଫାଇନାଲ ମ୍ୟାଚ୍‌ ପାଇଁ ହେଉଛି ରିଜର୍ଭ ଦିନ। ବର୍ଷାର ମୁକାବିଲା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମ୍ୟାଚରେ ଅତିରିକ୍ତ ଦେଢ଼ ଘଣ୍ଟା ଯୋଡିବାର ନିଷ୍ପତ୍ତି ନେଇଛି। ହୁଏତ ଆଜି ଏହି ନିଷ୍ପତ୍ତିର ଉପଯୋଗ ହୋଇପାରେ। ରବିବାର ବର୍ଷା ଯୋଗୁ ମ୍ୟାଚ ଅନୁଷ୍ଠିତ ହୋଇ ନପାରିଲେ ଏହା ସୋମବାର ରିଜର୍ଭ ଦିବସରେ ଅନୁଷ୍ଠିତ ହେବ। ସୋମବାର ପାଇଁ, ଅଷ୍ଟ୍ରେଲିୟା ସମୟ ଅନୁଯାୟୀ ମ୍ୟାଚ୍‌ ଅପରାହ୍ନ ୩ ଟା ସମୟ ରଖାଯାଇଛି। ଏଥିରେ ଅତିରିକ୍ତ ୨ଘଣ୍ଟା ସମୟ ମଧ୍ୟ ଦିଆଯାଇଛି। ତେବେ ସୋମବାର ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏଭଳି ପରିସ୍ଥିତିରେ ଉଭୟ ଦିନରେ ମ୍ୟାଚ ଆୟୋଜନ କରିବା ଟୁର୍ନାମେଣ୍ଟର ଆୟୋଜକମାନଙ୍କ ପାଇଁ ଏକ ବଡ଼ ଆହ୍ବାନ ହେବ।

Share