Categories: ଖେଳ

‘କୌଣସି ବିଦେଶୀ ଲିଗ୍‌ରେ ନ ଖେଳିବା ଭାରତ ବିଫଳତାର ପ୍ରମୁଖ କାରଣ’

ନୂଆଦିଲ୍ଲୀ,୧୪।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୨ରେ ସେମିଫାଇନାଲରୁ ବିଦା ହୋଇ ସମାଲୋଚିତ ହେଉଛି ଟିମ୍‌ ଇଣ୍ଡିଆ। ବିଦେଶୀ ଟି୨୦ ଲିଗ୍‌ରେ ନ ଖେଳିବାର ପରିଣାମ ଭାରତ ଭୋଗିଛି ବୋଲି କୁହାଯାଉଛି। ଅନ୍ୟ ଦେଶର ଖେଳାଳିମାନେ ବିଗ୍‌ ବ୍ୟାସ୍‌ ଲିଗ୍‌ ପରି ବିଦେଶୀ ଲିଗରେ ଅଂଶଗ୍ରହଣ କରନ୍ତି। ଫଳରେ ସେମାନଙ୍କର ଅଷ୍ଟ୍ରେଲିଆ ଏବଂ ଅନ୍ୟ ଦେଶର ପିଚ୍‌, ବାତାବରଣ ସମ୍ପର୍କରେ ଅନୁଭବ ଥାଏ। ହେଲେ ଭାରତୀୟ ଖେଳାଳିଙ୍କ ସହ ଏପରି ହୁଏ ନାହିଁ। ଏବେ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ୍‌ ସାମି ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି।

ଭାରତୀୟ କ୍ରିକେଟରମାନେ କୌଣସି ବିଦେଶୀ ଲିଗ୍‌ରେ ଖେଳୁନାହାନ୍ତି। ଚଳିତ ଟି୨୦ ବିଶ୍ୱକପ୍‌ରେ ସେମାନଙ୍କ ଖରାପ ପ୍ରଦର୍ଶନ ପଛରେ ଏହା ହେଉଛି ଏକ ପ୍ରମୁଖ କାରଣ। ଅପରପକ୍ଷେ ଇଂଲଣ୍ଡର ଅନେକ ଖେଳାଳି ଅଷ୍ଟ୍ରେଲିଆ ବିଗ୍‌ ବ୍ୟାସ ଲିଗ୍‌ରେ ଖେଳୁଥିଲେ। ଏଥିଲାଗି ଇଂଲଣ୍ଡକୁ ତାହାର ଲାଭ ମିଳିଲା ବୋଲି ଡାରେନ କହିଛନ୍ତି।

ଆଲେକ୍ସ ହାଲ୍ସ,କ୍ରିସ ଜୋର୍ଡାନଙ୍କ ଭଳି ଖେଳାଳିଙ୍କୁ ଦେଖନ୍ତୁ, ସେମାନେ ବିଗ୍‌ ବ୍ୟାସ୍‌ ଲିଗରେ ଖେଳନ୍ତି। ସେମାନେ ହିଁ ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ଟିମ୍‌ ସମ୍ପୂର୍ଣ୍ଣ ଦଳ ଥିଲା। ସେମାନେ ଚାମ୍ପିୟନ ହେବାକୁ ଯୋଗ୍ୟ ଥିଲେ। ସମସ୍ତ ଚାପଯୁକ୍ତ ମ୍ୟାଚ୍‌ରେ ସେମାନେ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଦଳ ଥିବା ଦର୍ଶାଇଥିଲେ ବୋଲି ଡାରେନ ମଧ୍ୟ କହିଛନ୍ତି।
କହିରଖୁଛୁ ଯେ, ବିସିସିଆଇର ନିୟମ ଅନୁଯାୟୀ ଭାରତର କୌଣସି ସକ୍ରିୟ ଖେଳାଳିକୁ ବିଦେଶୀ ଟି-୨୦ ଲିଗ୍‌ରେ ଖେଳିବାର ଅନୁମତି ନାହିଁ।

Share