Categories: ଖେଳ

ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନାରେ ଦାର୍‌ଙ୍କ ରେକର୍ଡ

ରାଓ୍ବଲପିଣ୍ଡି : ପାକିସ୍ତାନ ଅମ୍ପାୟର ଆଲିମ ଦାର ଆଉ ଏକ ରେକର୍ଡ କରିଛନ୍ତି। ଜଣେ ଅନ୍‌ଫିଲ୍ଡ ଅମ୍ପାୟର ଭାବେ ସେ ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନା କରି ଏହି ସଫଳତା ପାଇଛନ୍ତି। ଏଠାରେ ରବିବାର ଖେଳାଯାଇଥିବା ପାକିସ୍ତାନ- ଜିମ୍ବାଓ୍ବେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ପରିଚାଳନା କରି ଦାର ୨୧୦ତମ ଦିନିକିଆ ମ୍ୟାଚ୍‌ ପରିଚାଳନା କରିଛନ୍ତି। ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନା କରିବାରେ ୫୨ ବର୍ଷୀୟ ଦାର ଦକ୍ଷିଣ ଆଫ୍ରିକା ଅମ୍ପାୟର ରୁଡି କର୍ଜନଙ୍କୁ ପଛରେ ପକାଇଛନ୍ତି।
ପୂର୍ବରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରିବାରେ ଦାର ରେକର୍ଡ କରିଥିଲେ। ଗତବର୍ଷ ଡିସେମ୍ବରରେ ପର୍ଥରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରି ସେ ଏହି ସଫଳତା ପାଇଥିଲେ। ଏଥିସହ ସେ ୧୩୨ତମ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରିଥିଲେ। ଏହି କ୍ରମରେ ସେ ଜାମାଇକାର ଷ୍ଟିଭ ବକ୍‌ନରଙ୍କୁ ପଛରେ ପକାଇଥିଲେ। ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ପରିଚାଳନା କରିବାର ରେକର୍ଡ ମଧ୍ୟ ଦାରଙ୍କ ନାମରେ ରହିଛି। ସେ ମଧ୍ୟ ୪୫ଟି ଟି୨୦ ମ୍ୟାଚ୍‌ ପରିଚାଳନା କରିଛନ୍ତି। ଆଉ ଗୋଟିଏ ଟି୨୦ ମ୍ୟାଚ୍‌ ପରିଚାଳନା କଲେ ସେ ନିଜ ଦେଶର ଅନ୍ୟତମ ଅମ୍ପାୟର ଏକସାନ ରାଜାଙ୍କ ସହ ସମକକ୍ଷ ହେବେ।
ଦିନିକିଆ ଓ ଟେଷ୍ଟରେ ସର୍ବାଧିକ ମ୍ୟାଚ ପରିଚାଳନା କରିଥିବାରୁ ନିଜକୁ ଗୌରବାନ୍ବିତ ମନେକରୁଛି ବୋଲି ଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହି ସଫଳତା ପାଇବି ବୋଲି କେବେ ଭାବି ନ ଥିଲି। ଅମ୍ପାୟରିଂ ଆରମ୍ଭ କରିବା ବେଳେ ଏହି ସଫଳତା ପାଇବି ବୋଲି କେବେ ଭାବି ନ ଥିଲି ବୋଲି ଦାର କହିଛନ୍ତି। ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ କୃତଜ୍ଞତା ଜଣାଇଛନ୍ତି। ଅମ୍ପାୟରିଂ କରିବା ପୂର୍ବରୁ ଦାର ଜଣେ ଅଲରାଉଣ୍ଡର ଭାବେ ଦୀର୍ଘ ଏକ ଦଶନ୍ଧିଧରି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। ୨୦୦୦ରେ ସେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଅମ୍ପାୟରିଂ କରିଥିଲେ। ଗତ ୧୬ ବର୍ଷ ହେବ ସେ ଆଇସିସି ଏଲିଟ୍‌ ପ୍ୟାନେଲ ଅଫ୍‌ ଅମ୍ପାୟରର ସଦସ୍ୟ ରହି ଆସିଛନ୍ତି।

Share