Categories: ଜାତୀୟ

ଅଯୋଧ୍ୟାରେ ରାମଲଲାଙ୍କ ଅସ୍ଥାୟୀ ମନ୍ଦିର ଦର୍ଶନ ଶେଷ, ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ

ନୂଆଦିଲ୍ଲୀ,୧୯ା୧: ଅଯୋଧ୍ୟାରେ ମହାପ୍ରଭୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦେଶର କୋଣଅନୁକୋଣରେ ବହୁବିଧ କାର୍ଯ୍ୟକ୍ରମ ଚାଲିଛି । ଏହିକ୍ରମରେ ୫୧ ଇଞ୍ଚ ଉଚ୍ଚତାର ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିକୁ ଅଣାଯାଇ ମନ୍ଦିର ପରିସର ଭିତରେ ରଖାଯାଇଛି । ଗଣପତି ଓ ଅନ୍ୟ ଦେବତାଙ୍କୁ ଆଜି ପୂଜା କରାଯିବା ସହିତ ବେଦପାଠ, କୁଣ୍ଡ ପୂଜନ ଏବଂ ଅନ୍ୟାନ୍ୟ ଶାସ୍ତ୍ରୀୟ ରୀତିନୀତିରେ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ଅସ୍ଥାୟୀ ମନ୍ଦିରରେ ରାମଲଲାଙ୍କୁ ଦର୍ଶନ କରିବାର ଶୁକ୍ରବାର ଶେଷ ଦିନ ହୋଇଥିବାରୁ ସମଗ୍ର ଦେଶରୁ ଅନେକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ଏକତ୍ରିତ ହୋଇଛନ୍ତି।

ଶନିବାରଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ରାମଲଲାଙ୍କ ଦର୍ଶନ ବନ୍ଦ ରହିବ। ଆସନ୍ତା ସୋମବାର ପୌଷ ଶୁକ୍ଳ ଦ୍ୱାଦଶୀ ତିଥିରେ ଅପରାହ୍ଣ ୧୨ଟା ୨୦ମିନିଟ୍‌‌ ସମୟରେ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣପ୍ରତିଷ୍ଠା କରାଯିବ । ରାମଲାଲାଙ୍କ ମୂର୍ତ୍ତିକୁ ମନ୍ଦିରର ଗର୍ଭଗୃହରେ ଶ୍ରୀବିଗ୍ରହ ରୂପେ ସ୍ଥାପନ ପୂର୍ବକ ପୂଜା କରାଯିବ। ଏହି କାର୍ଯ୍ୟକ୍ରମରେ ୫ ଜଣ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଜୀ ମହାରାଜ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଟର ମୋହନ ଭଗବତ ଉପସ୍ଥିତ ରହିବେ ।

ସୂଚନା ଅନୁସାରେ ୧୨୫ଜଣ ଭାରତୀୟ ପରମ୍ପରାର ସନ୍ଥ ଏବଂ ବିଭିନ୍ନ କ୍ଷେତ୍ରରୁ ୨ହଜାର ୫୦୦ ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି । ଏହି ଦିନଟିକୁ ସ୍ମରଣୀୟ କରବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସବୁ ମନ୍ଦିର ଓ ତୀର୍ଥ କ୍ଷେତ୍ରକୁ ସ୍ୱଚ୍ଛ ରଖିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

 

Share