Advertisement

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୨୧ା୮(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବୁଧବାର ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ବନକ ଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ସମ୍ପନ୍ନ ହୋଇ ପାଣି ପଡ଼ିବା ପରେ ଏହି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ରତ୍ନସିଂହାସନ ଉପରକୁ ଉଠି ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବନକଲାଗିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଏ। ଦତ୍ତମହାପାତ୍ର ସେବକମାନେ ବନକଳାଗି ନୀତି ଶେଷ କରି ଶ୍ରୀମନ୍ଦିରରୁ ବାହାରିବା ପରେ ଶ୍ରୀବିଗ୍ରହମାନଙ୍କର ମହାସ୍ନାନ ନୀତି ସମ୍ପନ୍ନ କରାଯାଇ ଅନ୍ୟାନ୍ୟ ନୀତି ବଢ଼ିବା ପରେ ଦର୍ଶନ ପୁନର୍ବାର ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share