ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୧୭ା୭(ଅଜିତ ମହାନ୍ତି): ଚିତାଲାଗି ଅମାବାସ୍ୟା ଅବସରରେ ସୋମବାର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହ ଦାରୁବିଗ୍ରହଙ୍କ ଚିତାଲାଗି ନୀତି ସମ୍ପନ୍ନ କରାଯିବ। ମହାପ୍ରଭୁଙ୍କ ପ୍ରଥମ ଭୋଗମଣ୍ଡପ ପରେ ଏହି ଗୁପ୍ତ ନୀତି ଆରମ୍ଭ ହେବ। ସୋମବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ଘଣ୍ଟା ଉକ୍ତ ଗୁପ୍ତନୀତି ହେବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ବତ୍ତ୍ୱଲିପି ଅନୁଯାୟୀ, ଚଳିତବର୍ଷ ସ୍ନାନଯାତ୍ର୍ରାରେ ଦାରୁବିଗ୍ରହମାନେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ଡିକୁ ବିଜେ କରିଥିଲେ। ଏହାପରେ ଦଇତାପତି ସେବକମାନେ ଶ୍ରୀବିଗ୍ରହମାନଙ୍କଠାରୁ ରତ୍ନଚିତା ଓଲାଗି କରିଥିଲେ। ସେହିପରି ରଥଯାତ୍ରା ସମୟରେ ଠାକୁରମାନଙ୍କୁ ସୋଲଚିତା ଲାଗିକରାଯାଇଥିଲା। ପରମ୍ପରା ମୁତାବକ, ଚିତାଲାଗି ଅମାବାସ୍ୟାରେ ଠାକୁରମାନଙ୍କୁ ରତ୍ନଚିତା ଲାଗିକରାଯିବ। ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିବେ। ମହାପ୍ରଭୁଙ୍କ ଗୁପ୍ତନୀତିଗୁଡ଼ିକ ମଧ୍ୟରୁ ଚିତାଲାଗି ନୀତି ଅନ୍ୟତମ। ତେଣୁ ଏହି ନୀତି ସମୟରେ ଦର୍ଶନ ବନ୍ଦ ରଖାଯାଇଥାଏ।

Share