ଧସିଲା ବାଘ ନଦୀ ବିଜୁ ସେତୁ ଗାର୍ଡ ୱାଲ୍‌

ଫିରିଙ୍ଗିଆ ୫ା୯(ବିକ୍ରମ ଦିଗାଲ): ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଯନ୍ତ୍ରୀ କି ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅନେକ ଜାଗାରେ ରାସ୍ତା ଫାଟି ଆଁ କଲାଣି ତ କେଉଁଠି ବର୍ଷାରେ ଗାର୍ଡ ୱାଲ ଭାଙ୍ଗି ପଥର ଖସି ରାସ୍ତା ଧୋଇ ଗଲାଣି । ଏହା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଡାଙ୍ଗଡ଼ିକିଆ ନିକଟରେ ବାଘ ନଦୀରେ ଗ୍ରାମ୍ୟ ନିର୍ମାଣ ବିଭାଜନ ଫୁଲବାଣୀ ଦ୍ୱାରା ତିଆରି କରାଯାଇଥିବା ପୋଲରେ l ଏହି ପୋଲ ୨୦୨୦ରେ ନିର୍ମାଣ କରାଯାଇଥିବା ବେଳେ ୨୦୨୦ ଡିସେମ୍ବରରେ ଏହାର କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ଫଳକରେ ଲେଖା ଅଛି। କିନ୍ତୁ କାର୍ଯ୍ୟର ପ୍ରଥମ ବର୍ଷରୁ ବିଜୁ ସେତୁର ଉଭୟ ପଟ ନିମ୍ନ ମାନର ୱାଲ ଓ ପଥର ପିଚିଂ କରାଯାଇଥିବାରୁ ବର୍ଷାରେ ଧୋଇ ହୋଇ ନଷ୍ଟ ହୋଇଯାଇଛି। ପୂର୍ବରୁ କମ କିଛି ଧୋଇ ହୋଇ ଥିବା ବେଳେ ଚଳିତ ବର୍ଷ ବର୍ଷାରେ ପୋଲର ତଳୁ ମଧ୍ୟ ମାଟି ପଥର ଧୋଇ ହୋଇଯାଇଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାର୍ଯ୍ୟ କରା ଯାଇନଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଭଳି କାର୍ଯ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳର କିଛି ବରିଷ୍ଠ ବ୍ୟକ୍ତି । ଏହି ବିଜୁ ସେତୁ ଉପରେ ଡାଙ୍ଗଡ଼ିକିଆ, କୁଟିବାରୀ, ଜୟଲମ୍ବା, ଗୁରୁପଡା, ଭଳି ୬ ରୁ ୮ ଟି ଗାଁ ଏହି ଯାତାୟାତ କରୁଥିବାରୁ ଏହି ସମସ୍ୟା ନେଇ ଜିଲାପାଳଙ୍କୁ ଜଣାଇବୁ ବୋଲି ସମ୍ପୃକ୍ତ ଗଁାବାସୀ କହିଛନ୍ତି। ତେବେ ଏହି ବିଜୁ ସେତୁରେ ଅଟକାଳ ମୂଲ୍ୟ ୨ କୋଟି ୧୭ ଲକ୍ଷ୍ୟ ୨୫ ହଜାର ଟଙ୍କା ବ୍ୟୟ କରାଯାଇଥିବା ଫଳକରେ ଲେଖା ଥିବା ବେଳେ ଏଭଳି ନିମ୍ନ ମାନର କାର୍ଯ୍ୟକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ପଚାରିବାରୁ ନଷ୍ଟ ହୋଇଥିବା ସ୍ବୀକାର କରିଥିବା ବେଳେ ଦାଇତ୍ୱରେ ଥିବା ବିଭାଗୀୟ ଅଧିକାରୀ ଏସଡିଓ ସୁଶୀଲ କୁମାର ମହାନ୍ତି ପୁଣି ଥରେ ଏହି କାର୍ଯ୍ୟ କରିବାକୁ କହିଛନ୍ତି ।

Share