Categories: ଜାତୀୟ

ଡେଟା ସୁରକ୍ଷା ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୮ା୮: ମଣିପୁର ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନଙ୍କ ସ୍ଲୋଗାନବାଜି ମଧ୍ୟରେ ସୋମବାର ଲୋକ ସଭାରେ ଡିଜିଟାଲ ବ୍ୟକ୍ତିଗତ ଡେଟା ସୁରକ୍ଷା ବିଲ୍‌ ଗୃହୀତ ହୋଇଛି। ବିରୋଧୀ ସଦସ୍ୟ ଏଥିରେ କେତେକ ସଂଶୋଧନ ଦାବି ଲାଗି ପ୍ରସ୍ତାବ ଦେଇଥିଲେ ହେଁ ତାହା ଧ୍ୱନି ମତରେ ଖାରଜ ହୋଇଯାଇଥିଲା। ଭାରତୀୟ ନାଗରିକଙ୍କ ଗୋପନୀୟତାର ସୁରକ୍ଷା କରିବା ଏହି ବିଲ୍‌ର ଉଦ୍ଦେଶ୍ୟ। ଲୋକଙ୍କ ଡିଜିଟାଲ ଡେଟାର ଅପବ୍ୟବହାର କଲେ କିମ୍ବା ଏହାର ସୁରକ୍ଷାରେ ବିଫଳ ହେଲେ ସମ୍ପୃକ୍ତ ସଂସ୍ଥା ଉପରେ ୨୫୦ କୋଟି ଟଙ୍କା ଅର୍ଥଦଣ୍ଡ ଲଗାଇବା ପାଇଁ ବିଲ୍‌ରେ ପ୍ରସ୍ତାବ ରହିଛି। ସୁପ୍ରିମକୋର୍ଟ ଗୋପନୀୟତା ଅଧିକାରକୁ ମୌଳିକ ଅଧିକାର ଭାବେ ଘୋଷଣା କରିବାର ୬ ବର୍ଷ ପରେ ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ ବ୍ୟକ୍ତିଗତ ତଥ୍ୟ ଅପବ୍ୟବହାରକୁ ରୋକିବା ଲାଗି ଏହି ବିଲ୍‌ ଅଣାଯାଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଲ୍‌ ଆଗତ କରି କହିଥିଲେ, ବିରୋଧୀ ସଦସ୍ୟମାନେ ଏହା ଉପରେ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା। ହେଲେ ବିରୋଧୀ ଦଳର କୌଣସି ନେତା କିମ୍ବା ସଦସ୍ୟ ନାଗରିକଙ୍କ ଅଧିକାର ପ୍ରତି ଚିନ୍ତିତ ନ ଥିବା ସେ କହିଥିଲେ। ସଂକ୍ଷିପ୍ତ ଆଲୋଚନା ପରେ ବିଲ୍‌ ଗୃହୀତ ହୋଇଥିଲା।

Share