Categories: ଜାତୀୟ

ସଂସଦରେ ଡେଟା ସୁରକ୍ଷା ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୧୦ା୮: ଲୋକ ସଭାରେ ସୋମବାର ଗୃହୀତ ହୋଇଥିବା ଡେଟା ପ୍ରୋଟେକ୍ସନ ବିଲ୍‌, ୨୦୨୩ ବୁଧବାର ରାଜ୍ୟ ସଭାରେ ପାରିତ ହୋଇଛି। ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ। ସୁପ୍ରିମକୋର୍ଟ ପ୍ରିଭେସି ଅଧିକାରକୁ ମୌଳିକ ଅଧିକାର ବୋଲି ସ୍ପଷ୍ଟ କରିବାର ୬ ବର୍ଷ ପରେ କେନ୍ଦ୍ର ସରକାର ଆଣିଥିବା ଉକ୍ତ ବିଲ୍‌ରେ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମଗୁଡ଼ିକରେ ବ୍ୟକ୍ତିମାନଙ୍କ ଡେଟାର ଦୁରୁପଯୋଗ ରୋକିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରସ୍ତାବ କହିଛନ୍ତି, ଏହି ବିଲ୍‌ ଡିଜିଟାଲ ସର୍ଭିସ ବ୍ୟବହାର କରୁଥିବା ଲୋକଙ୍କୁ ନୂଆ ଅଧିକାର ପ୍ରଦାନ କରିଛି। ନାଗରିକଙ୍କ ଡେଟା ସଂଗ୍ରହ ଓ ପ୍ରକ୍ରିୟାକରଣ କରୁଥିବା ଘରୋଇ ତଥା ସରକାରୀ ସଂସ୍ଥାଗୁଡ଼ିକୁ ଏଥିରେ ଉତ୍ତରଦାୟୀ କରାଯାଇଛି। ଭାରତୀୟ ନାଗରିକମାନଙ୍କ ପ୍ରିଭେସିକୁ ଏହି ବିଲ୍‌ ସୁରକ୍ଷା ପ୍ରଦାନ କରିବ। ଏହାକୁ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥାକୁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ମଣିପୁର ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ଚାଲିଥିବାବେଳେ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ତେବେ ଧ୍ୱନିମତରେ ଏହା ଗୃହୀତ ହୋଇଥିଲା।

 

Share