Categories: ଜାତୀୟ

ତାରିଖ ପରେ ତାରିଖ, ୭୦ ବର୍ଷ ଧରି ବିଚାରଧୀନ ରହିଛି ୧୯୫୩ ମସିହାର ମହାରାଷ୍ଟ୍ରର ଏକ ମାମଲା…

ନୂଆଦିଲ୍ଲୀ,୯।୧ : ଦେଶର କୋର୍ଟରେ ୪ କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି। ବିଚାରାଧୀନ ମାମଲାଗୁଡ଼ିକ ଉପରେ ନ୍ୟାୟିକ ବିଦ୍ୱାନମାନେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ଦେଶର ପୁରାତନ ମାମଲାର ବିଚାର ଗତ ୭୦ ବର୍ଷ ଧରି ଚାଲିଛି। କୋର୍ଟରେ କେବଳ ତାରିଖ ପରେ ତାରିଖ ଗଡ଼ା ଯାଉଛି। ଯେତେବେଳେ ଦେଶର ଏହି ସର୍ବ ପୁରାତନ ନାଗରିକ ତଥା ଅପରାଧିକ ମାମଲା ଦାୟର କରାଯାଇଥିଲା, ସେତେବେଳେ ବର୍ତ୍ତମାନ ସୁପ୍ରିମକୋର୍ଟର କାର୍ଯ୍ୟ କରୁଥିବା କୌଣସି ବିଚାରପତି ଜନ୍ମ ହୋଇ ନ ଥିଲେ। ଏହି ମାମଲା ଏବେ ବି ବିଚାରକୁ ଅପେକ୍ଷା କରିଛି।

ବର୍ତ୍ତମାନ ସୁପ୍ରିମକୋର୍ଟରେ ୨୭ ଜଣ ବିଚାରପତି ଅଛନ୍ତି। ଏଥିମଧ୍ୟରୁ ଜଷ୍ଟିସ ଏସସି ଗୁପ୍ତାଙ୍କ ବୟସ ଦୃଷ୍ଟିରୁ ସର୍ବାଧିକ ବର୍ଷ ରହିଛି। ୧୫ ମେ ୧୯୫୮ରେ ଜନ୍ମ ହୋଇଥିବା ଜଷ୍ଟିସ ଗୁପ୍ତା ୨୦୦୪ ରେ ହାଇକୋର୍ଟର ବିଚାରପତି ହୋଇଥିଲେ ଏବଂ ଜାନୁଆରୀ ୨୦୧୯ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ସେ ଚଳିତ ବର୍ଷ ୨୦୨୩ ମେ ୧୪ ରେ ଅବସର ନେବେ।

ସର୍ବ ପୁରାତନ ଅପରାଧିକ ମାମଲା ମହାରାଷ୍ଟ୍ରର ରାୟଗଡ ପୋଲିସ ଦ୍ୱାରା ୧୮ ମଇ ୧୯୫୩ ରେ ମହାରାଷ୍ଟ୍ର ନିଷେଧ ଆଇନର ଧାରା ୬୫-ଇ ଅନୁଯାୟୀ ପଞ୍ଜୀକୃତ ହୋଇଥିଲା। ଅର୍ଥାତ୍‌ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତିଙ୍କ ଜନ୍ମଠାରୁ ସର୍ବ ପୁରାତନ ଅପରାଧିକ ମାମଲା ୫ ବର୍ଷ ପୁରୁଣା। କିନ୍ତୁ ଏହାର ବିଚାର ଶେଷ ହୋଇ ପାରୁନାହିଁ।

Share