ଶ୍ୱଶୁରଙ୍କ ମୁହଁରେ ମୁଖାଗ୍ନି ଦେଲେ ବୋହୂ

ଗଜପତି,୧୩।୨ (ଗିରିଧାରୀ ପରିଛା): ସାଧାରଣତଃ ପୁଅଟିଏ ମା’ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଥାଏ। ଆଜିକାଲି ସମୟରେ ଝିଅ ବି କେତେକ ସ୍ଥାନରେ ଏହି ଭୂମିକା ତୁଲାଉଥିବା ନଜରକୁ ଆସୁଛି। ହେଲେ ଏକ ବିରଳ ଘଟଣାକ୍ରମରେ ଗଜପତି ଜିଲାର କାଶୀନଗରରେ ଜଣେ ବୋହୂ ଶ୍ୱଶୁରଙ୍କୁ ମୁଖାଗ୍ନି ଦେଇ ଚର୍ଚ୍ଚାକୁ ଆସିଛନ୍ତି।

କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର ୧୨ନଂ ୱାର୍ଡର ଆଖାଡା ପନ୍ଦରା ସାହିରେ ଜଣାଶୁଣା ବ୍ୟବସାୟୀ ନିରଞ୍ଜନ ବେହେରାଙ୍କ ଘର। ତାଙ୍କର ତିନି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ସବୁ ପିଲାଙ୍କୁ ନିରଞ୍ଜନ ବିବାହ କରିଥିଲେ। ହେଲେ ନିରଞ୍ଜନଙ୍କ ପରିଣତ ବୟସରେ ପୁଅ ତାଙ୍କ ପତ୍ନୀ ,୨ ପୁଅ ଓ ମା’ବାପାଙ୍କୁ ଛାଡି ଗତ ୨ ବର୍ଷ ହେଲା ହାଇଦ୍ରାବାଦ ଚାଲିଯାଇଥିଲେ। ସୋମବାର ନିରଞ୍ଜନଙ୍କ ଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଥିଲା। ପୁଅଙ୍କୁ ବାପାଙ୍କ ମୃତ୍ୟୁର ଖବର ଦିଆଯାଇଥିଲା। ହେଲେ ବାପାଙ୍କ ଶେଷକୃତ୍ୟ ପାଇଁ ଆସି ପାରିବେ ନାହିଁ ବୋଲି ପୁଅ ରୋକଠୋକ କହିଦେଇଥିଲେ।ପୁଅଙ୍କ ଏଭଳି ବ୍ୟବହାର ଯୋଗୁ ପରିବାରଲୋକେ ଚିନ୍ତାରେ ପଡ଼ିଥିଲେ। ଶେଷରେ ବୋହୂ ଜୟନ୍ତୀ ପୁଅଙ୍କ ଦାୟିତ୍ୱ ତୁଲାଇବେ ବୋଲି ଆଗକୁ ଆସିଥିଲେ। ଏପରିକି ଶ୍ମଶାନରେ ସ୍ବାମୀ ପୁଅ ହିସାବରେ ଯେଉଁସବୁ ଦାୟିତ୍ୱ ତୁଲାଇ ଥାନ୍ତେ ତାହା ନିର୍ବାହ କରିଥିଲେ। ଜଣେ ବୋହୂ ଭାବେ ସ୍ବାମୀଙ୍କଠାରୁ ଦୂରରେ ରହି ଶ୍ୱଶୁର ଓ ଶାଶୁଙ୍କୁ ବାପାମା’ଙ୍କ ସ୍ନେହ ଦେଇ ଶେଷରେ ମୁଖାଗ୍ନି ଦେବା ଅତ୍ୟନ୍ତ ବିରଳ ବୋଲି କୁହାଯାଉଛି। ଏହାକୁ ନେଇ ଅଞ୍ଚଳବାସୀ ଜୟନ୍ତୀଙ୍କ କାର୍ଯ୍ୟକୁ ଭୁରି ପ୍ରଶଂସା କରୁଛନ୍ତି ।

Share