ଶ୍ୱଶୁର ଘର ଆଗରେ ବୋହୂଙ୍କ ଧାରଣା

ନୂଆଗାଁ,୭।୧(ଧନେଶ୍ୱର ସାହୁ): ପ୍ରେମ ବିବାହ ଓ ପରେ ପ୍ରତାରଣା । ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ଶୁକ୍ରବାର ସନ୍ଧ୍ୟା ସମୟରୁ ଧାରଣାରେ ବସିଛନ୍ତି ବୋହୂ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡାଝୋଲା ଗ୍ରାମରେ ।
ସୂଚନା ମୁତାବକ ଓଡ଼ଗାଁ ଥାନା ଡହଙ୍ଗୀ ଗ୍ରାମର ରବିନ୍ଦ୍ର ସେନାପତିଙ୍କ ଝିଅ କାବେରୀ (୨୦)ବାହାଡାଝୋଲା ଗ୍ରାମର ଶଙ୍କର୍ଷଣ ପ୍ରଧାନଙ୍କ ପୁଅ ଅଜିତ ପ୍ରଧାନ(ନାରଣ)ଙ୍କୁ ଭଲ ପାଇ ବସିଥିଲେ । ୪ ମାସ ଭଲ ପାଇବା ପରେ ଉଭୟ ଘର ଛାଡି ପଳାଇ ଯାଇଥିଲେ ଓ ପରେ ୩୦୨୩ଜାନୁଆରୀ ୧୦ ତାରିଖରେ ନୋଟାରୀରେ ବିବାହ କରିଥିବା କହିଛନ୍ତି କାବେରୀ । ବିବାହ ପରେ ଉଭୟ କାବେରୀଙ୍କ ଭଉଣୀ ଘରେ ଓଡ଼ଗାଁରେ ୩ ମାସ ଯାଏ ରହିଲେ । ଅଜିତ ପେଶାରେ ଜଣେ ଟାଇଲ ମିସ୍ତ୍ରୀ ହୋଇଥିବାରୁ ପରେ ସେମାନେ ସୁରାଟ ଯାଇ କାବେରୀଙ୍କ ବଡ ନାନୀ ଘରେ ପ୍ରାୟ ୧ ସପ୍ତାହ ରହିବା ପରେ ଅଜିତ କାବେରୀକୁ ସେଠାରେ ଛାଡି ଦେଇ ଗାଁକୁ ଚାଲି ଆସି ଫୋନ ଯୋଗେ ଧନ ସମ୍ପତ୍ତି ଦାବି କରିଥିଲେ । ତେଣୁ କାବେରୀ ୨ ମାସ ପରେ ବାଧ୍ୟ ହୋଇ ସୁରଟରୁ ନିଜ ଘରକୁ ଫେରି ଆସିଥିଲେ । ପରେ ଅଜିତ ସାବିତ୍ରୀ ଅମାବାସ୍ୟା ଦିନ ଜଣେ ସାଙ୍ଗକୁ ସାଥିରେ ନେଇ କାବେରୀକୁ ଘରୁ ଡାକି ଆଣି ପୁରୀ ନେଇଥିଲେ। ସେଠାରେ ଘରଭଡା ନେଇ ଉଭୟ ୬ ମାସ ରହିବା ପରେ କାବେରୀ ଗର୍ଭବତୀ ହୋଇଥିଲେ। ତେଣୁ ଗଣେଶ ପୂଜା ସମୟରେ ଗାଁକୁ ଆସି ଟୀକା ନେଇ ପୁଣି ପୁରୀ ଚାଲି ଯାଇଥିଲେ । ସେଠାରେ କିଛି ଦିନ ରହିବା ପରେ କାବେରୀଙ୍କ ଗର୍ଭନଷ୍ଟ ହୋଇ ଥିଲା । ଏହି ସୁଯୋଗରେ ଅଜିତ କାବେରୀକୁ ଆଣି ବାପ ଘର ଡହଙ୍ଗିରେ ଛାଡି ପୁରୀ ଚାଲି ଯାଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ମନମାଳିନ ହୋଇ କାବେରୀ ଅଜିତଙ୍କ ପାଖରେ ଯାଇ ନ ଥିଲେ । ତେବେ କାବେରୀ ନ ପୁରୀ ଆସିଲେ ଅଜିତ ଆତ୍ମହତ୍ୟା କରିବାର ଧମକ ଦେବାରେ ସେ ବାଧ୍ୟ ହୋଇ ଯାଇଥିଲେ । ପୁରୀରେ ଉଭୟ ଏକ ମାସ ଭଲରେ ଚଳିବା ପରେ ସେଠାରେ କାବେରୀକୁ ଏକା ଛାଡି ଅଜିତ ଗାଁକୁ ଆସିଥିଲେ । ଦୀର୍ଘ ୩ ମାସ ହେଲା ଅଜିତ ଆଉ କାବେରୀ ପାଖକୁ ଫେରିଲେ ନାହିଁ । କାବେରୀ ଫୋନ କଲେ ମୁଁ ତୋତେ ଆଉ ନେବି ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ଏହା ପରେ ଅନ୍ୟ ଉପାୟ ନ ପାଇ କାବେରୀ ବାହାଡାଝୋଲାସ୍ଥିତ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ। ଅନ୍ୟପଟେ ଝିଅର ବାପା ମାଆ ଓଡ଼ଗାଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଥାନା ପକ୍ଷରୁ ଅଜିତଙ୍କ ବାପାମାଆଙ୍କୁ ଥାନାକୁ ଡାକି ବୁଝାଇବାରେ ସେମାନେ ୧୫ଦିନ ମଧ୍ୟରେ ପୁଅ ଅଜିତକୁ ଡାକି କାବେରୀ ସହିତ ଫୁଲେଶ୍ୱର ମନ୍ଦିରରେ ବିବାହ କରାଇବା ସହ ଘର ନିର୍ମାଣ କରିବା ପାଇଁ ୮ହାତ ଜାଗା , ୫୦ ହଜାର ଟଙ୍କା ଏବଂ ୬ ମାସ ପାଇଁ ଚାଉଳ ଡାଲି ଯୋଗାଇ ଦେବେ ବୋଲି ଥାନାରେ ପ୍ରତିଶ୍ରୁତି ଦେବା ପରେ ଶନିବାର ଅପରାହ୍ନ ସମୟରେ କାବେରୀ ଧାରଣାରୁ ଉଠିଥିଲେ । ତେବେ ୧୫ ଦିନ ପରେ ପ୍ରତିଶ୍ରୁତି ରକ୍ଷା ନ କଲେ କାବେରୀ ପୁନର୍ବାର ଧାରଣାରେ ବସିବେ ବୋଲି କହିଛନ୍ତି ।