ଶାଶୁଙ୍କ ଉପରେ ବୋହୂ ପକାଇଲେ ଗରମ ପେଜ

କେନ୍ଦୁଝର,୧୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରୀପୁର ଗ୍ରାମରେ ଜଣେ ମହିଳାଙ୍କ ଉପରେ ତାଙ୍କର ବୋହୁ ଗରମ ପେଜ ପକାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗୁରୁତର ଅବସ୍ଥାରେ ଶାଶୁ ସୁକୁମତି ମୁଣ୍ଡାଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଅପରପକ୍ଷେ ଶନିବାର ଏଭଳି କାଣ୍ଡ ଘଟାଇ ବେହୂ ତାଙ୍କ ବାପଘରକୁ ପଳାଇଥିବା ଜଣାପଡିଛି।

ସୁକୁମତି ଦେଢ ବର୍ଷ ତଳେ ପୁଅର ବିବାହ ଦେଉଳଡିହା ଗ୍ରାମରେ କରିଥିଲେ। ତେବେ ବିବାହ ପରେ ଶାଶୁବୋହୂଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଅପରାହ୍ନରେ ଶାଶୁ ପିଇବା ପାଇଁ ଗରମ ପେଜ ମାଗିଥିଲେ। ତେବେ ବିରକ୍ତ ହୋଇ ବୋହୂ ଗରମ ତୋରାଣୀ ଶାଶୁ ଉପରକୁ ଫୋପାଡି ଦେଇଥିଲେ ବୋଲି ଅଭିଯୋଗ ହେଉଛି। ତେବେ ଗରମ ପେଜ ଯୋଗୁ ତାଙ୍କ ଦେହ ଓ ମୁହଁରେ ଫୋଟକା ହୋଇଯାଇଥିବା ବେଳେ ସେ ଯନ୍ତ୍ରଣାରେ ଛଟପଟ ହୋଇଯାଇଥିଲେ। ବୋହୂ ତାଙ୍କ ଚିକିତ୍ସା କରିବା ପରିବର୍ତ୍ତେ ବାପାଙ୍କ ଘରକୁ ଚାଲିଯାଇଥିବା କୁହାଯାଉଛି। ତେବେ ବୋହୂଙ୍କ ଏଭଳି କରିବା ପଛର ପ୍ରକୃତ କାରଣ ଜଣାପଡି ନାହିଁ। ଏହି ଘଟଣାକୁ ନେଇ ତେଲକୋଇ ଥାନାରେ କାୈଣସି ରିପୋର୍ଟ ହୋଇ ନ ଥିବା ଥାନା ଅଧିକାରିଣୀ ସାଇପ୍ରଭା ରାଉତ କହିଛନ୍ତି। ତେବେ ବୋହୂ ଗରମ ପେଜ ଶାଶୁ ଉପରେ ପକାଇଦେଇଛନ୍ତି ନା ଅଜାଣତରେ ପଡିଯାଇଛି, ତାହା ରିପୋର୍ଟ କରି ତଦନ୍ତ ହେଲେ ଜଣାପଡିବ ବୋଲି ପୋଲିସ କହିଛି ା

Share