Categories: ଜାତୀୟ

ଶାଶୁଙ୍କୁ ଦେବୀ ମାନି ମନ୍ଦିର ନିର୍ମାଣ କଲେ ୧୧ ବୋହୂ

ରାୟପୁର, ୧୯।୧: ଶାଶୁ-ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ହେବାର ଖବର ଅନେକ ସମୟରେ ଆମେ ଶୁଣିବାକୁ ପାଇଥାଉ। କିନ୍ତୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବୋହୂମାନେ ଶାଶୁଙ୍କ ମୃତ୍ୟୁ ପରେ ତାଙ୍କର ପ୍ରତିମା ତିଆରିକରି ପୂଜା କରୁଛନ୍ତି।
ଛତିଶଗଡ଼ର ବିଳାସପୁର ଜିଲାର ରତନପୁରରେ ରହିଛନ୍ତି ଏମିତି ଏକ ପରିବାର। ରତନପୁରର ବିଶ୍ୱ ପ୍ରସିଦ୍ଧ ମହାମାୟୀ ଦେବୀଙ୍କ ମନ୍ଦିର ରହିଛି। ୭୭ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଶିବ ପ୍ରସାଦ ତମ୍ବୋଲିଙ୍କ ପରିବାର ମଧ୍ୟ ଏଠାରେ ରୁହନ୍ତି। ଯାହାକି ଅନ୍ୟ ପରିବାର ପାଇଁ ଏକ ଉଦାହରଣ ପାଲଟିଛି। ଏହି ପରିବାରର ସମୁଦାୟ ସଦସ୍ୟଙ୍କ ସଂଖ୍ୟା ୩୯। ଘରେ ୧୧ଜଣ ବୋହୂ ରହିଛନ୍ତି। ପରିବାରର ସମସ୍ତ ସଦସ୍ୟ ପରସ୍ପରକୁ ପ୍ରେମର ବନ୍ଧନରେ ବାନ୍ଧି ରଖିଥାନ୍ତି। ବୋହୂମାନଙ୍କ ଶାଶୁ ଗୀତା ଦେବୀଙ୍କର ୨୦୧୦ ମସିହାରେ ମୃତ୍ୟୁ ଘଟିଥିଲା। ଗୀତା ଦେବୀ ବୋହୂମାନଙ୍କୁ ବହୁତ ଭଲ ପାଇବା ସହ ସବୁ ପ୍ରକାରର ସ୍ବାଧୀନତା ଦେଇଥିଲେ। ଫଳରେ ଶାଶୁଙ୍କ ମୃତ୍ୟୁପରେ ବୋହୂମାନେ ଦୁଃଖରେ ଭାଙ୍ଗିପଡ଼ିଲେ। ବୋହୂମାନଙ୍କୁ ଏକତାର ପାଠ ପଢ଼ାଉଥିବା ଗୀତା ଦେବୀଙ୍କ ମୃତ୍ୟୁ ପରେ ତାଙ୍କର ସମ୍ମାନ ଏବଂ ମନେ ରଖିବା ପାଇଁ ବୋହୂମାନେ ଏକ ସ୍ବତନ୍ତ୍ର ମନ୍ଦିର ନିର୍ମାଣ କରି ତାଙ୍କର ପୂଜାର୍ଚ୍ଚନା କରୁଛନ୍ତି। ଖାଲି ସେତିକି ନୁହେଁ ପ୍ରତି ମାସ ଏହି ମୂର୍ତ୍ତି ସାମ୍ନାରେ ଭଜନ କିର୍ତ୍ତନ ମଧ୍ୟ ହୋଇଥାଏ। ଗୀତା ଦେବୀଙ୍କ ସବୁ ବୋହୂମାନେ ଉଚ୍ଚ ଶିକ୍ଷିତା। ସମସ୍ତେ ସେମାନଙ୍କ ସ୍ବାମୀଙ୍କୁ ବ୍ୟବସାୟରେ ସାହାଯ୍ୟ ମଧ୍ୟ କରନ୍ତି।

Share