ଝିଅ ବାହାଘର ଚାଲିଥିବା ବେଳେ ମା’ଙ୍କୁ ହତ୍ୟା

ବରଗଡ଼ ଅଫିସ,୧୩ା୫: ବରଗଡ଼ ଜିଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ବାହାଘର ଚାଲିଥିବା ସମୟରେ ମା’ଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଆଶାକର୍ମୀ କିଶୋରୀ ତାଣ୍ଡି (୪୪)। ହତ୍ୟାକାଣ୍ଡରେ ତାଙ୍କ ୨ଜଣ ସମ୍ପର୍କୀୟଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ଚାଲିଛି।

ସୂଚନାନୁଯାୟୀ, ମୃତକଙ୍କ ଝିଅ ବାହାଘର ପାଇଁ ବରଯାତ୍ରୀ ଆସିଥିଲେ। ବରଯାତ୍ରୀ ଶୋଭାଯାତ୍ରା ମଧ୍ୟ ଚାଲିଥିଲା। ଏହି ସମୟରେ ମୃତ ମହିଳା ଏବଂ ତାଙ୍କର  ସମ୍ପର୍କୀୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପର୍କୀୟ ଜଣକ ଏକ ଟାଙ୍ଗିଆରେ ଆକ୍ରମଣ କରି କିଶୋରୀଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ। ଫଳରେ ସେ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ୨ଜଣଙ୍କୁ ଥାନାକୁ ଆଣି ଏ ନେଇ ତଦନ୍ତ କରୁଥିବା ସୂଚନା ମିଳିଛି।

Share