ଚାଲିଥିଲା ଝିଅ ବାହାଘର: ମିଳିଲା ବାପାଙ୍କ ମୃତଦେହ

ହିଞ୍ଜିଳିକାଟୁ,୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି। ଝିଅ ବାହାଘର ଦିନ ବାପାଙ୍କ ମୃତଦେହ ଏକ ମୁଗ କିଆରିରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଲେ ହିଞ୍ଜିଳି ଥାନା ଶିକିରି ଗ୍ରାମର ସୁରେନ୍ଦ୍ର ନାୟକ(୭୨) ।

ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପରେ ଏକ ମାମଲା(ନଂ.୭/୨୪) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି।

ମିଳିଥିବା ସୂଚନା ମୁତାବକ, ସୁରେନ୍ଦ୍ର ୨ ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ରବିବାର ଝିଅ ବାହାଘର ପାଇଁ ପରିବାର ଲୋକେ ବ୍ୟସ୍ତତା ମଧ୍ୟରେ ରହିଥିଲେ। ଏହି ସମୟରେ ଗ୍ରାମର କେତେଜଣ ବ୍ୟକ୍ତି ଗାଁ ନିକଟ ଏକ ମୁଗ କିଆରିରେ ଥିବା ଏକ ଗଛରେ ସୁରେନ୍ଦ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ଜଣାଇବା ସହ ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଥିଲା। ଅନ୍ୟପକ୍ଷେ ସୁରେନ୍ଦ୍ରଙ୍କ ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଝିଅ ବାହାଘର ବନ୍ଦ ରହିଥିବା ଜଣାପଡିଛି।

Share