Categories: ଖେଳ

ଆଚରଣବିଧି ଉଲ୍ଲଂଘନ: ଡେଭିଡ୍‌ଙ୍କ ନାଁରେ ଯୋଗ ହେଲା ଡିସିପ୍ଲିନାରି ଡିମେରିଟ୍‌ ପଏଣ୍ଟ

ସେଣ୍ଟ ଲୁସିଆ,୨୩ା୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସୁପର-୮ ଗ୍ରୁପ୍‌-୨ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ଡେଭିଡ୍‌ ମିଲର ଆଇସିସି ଆଚରଣବିଧି ଧାରା-୧ର ଉଲ୍ଲଂଘନ କରିଥିବାରୁ ଭର୍ତ୍ସନା କରାଯିବା ସହ ତାଙ୍କୁ ଏକ ଡିମେରିଟ୍‌ ପଏଣ୍ଟ ପ୍ରଦାନ କରାଯାଇଛି।

ସେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମହତି ପ୍ରକାଶ କରିଥିଲେ। ୨୪ ମାସରେ ଏହା ତାଙ୍କର ପ୍ରଥମ ଅପରାଧ ହୋଇଥିବାରୁ ମିଲରଙ୍କ ଡିସିପ୍ଲିନାରି ରେକର୍ଡରେ ଏକ ଡିମେରିଟ୍‌ ପଏଣ୍ଟ ଯୋଗ କରାଯାଇଛି।

ଦକ୍ଷିଣ ଆଫ୍ରିକା ଇନିଂସ୍‌ର ୧୯ତମ ଓଭରରେ ଏହି ଘଟଣା ଘଟିଥିଲା। ମିଲର ପେସ୍‌ ବୋଲର ସାମ୍‌ କୁରାନଙ୍କ ଏକ ଫୁଲ୍‌ଟସ୍‌ ଖେଳୁଥିବା ବେଳେ ବଲ୍‌ଟି ଉଚ୍ଚା ଥିବାରୁ ଅମ୍ପାୟର ଏହାକୁ ‘ନୋ ବଲ୍‌’ ଦେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ହୋଇ ନ ଥିଲା। ନିଷ୍ପତ୍ତିର ରିଭ୍ୟୁ ପାଇଁ ସେ ସଙ୍କେତ ଦେଇଥିଲେ। ତାଙ୍କ କଥା ପ୍ରତି ଧ୍ୟାନ ଦିଆଯାଇ ନ ଥିଲା। ମିଲର ତାଙ୍କ ଦୋଷ ସ୍ବୀକାର କରିବା ସହ ମ୍ୟାଚ୍‌ ରେଫରି ଜେଫ୍‌ କ୍ରୋଙ୍କ ଦ୍ୱାରା ହୋଇଥିବା ଦଣ୍ଡବିଧାନକୁ ଗ୍ରହଣ କରିନେବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା। ମିଲରଙ୍କ ବିରୋଧରେ ଫିଲ୍ଡ ଅମ୍ପାୟର ଖ୍ରୀସ୍‌ ବ୍ରାଉନ୍‌ ଓ ଶାର୍ଫୁଦୋଲ୍ଲା ଇବ୍‌ନେ ଶାହିଦ, ତୃତୀୟ ଅମ୍ପାୟର ଜୋଏଲ ଓ୍ବିଲସନ ଏବଂ ଚତୁର୍ଥ ଅମ୍ପାୟର ଖ୍ରୀସ୍‌ ଗାଫାନି ପ୍ରମୁଖ ଅଭିଯୋଗ ଆଣିଥିଲେ।

Share