Categories: ଖେଳ

ଭାରତୀୟ ଦଳକୁ କ୍ଷମା ମାଗିଲେ ଏହି ଖେଳାଳି

ସିଡ୍‌ନୀ, ୧୨।୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ଣ୍ଣର ମଙ୍ଗଳବାର ଭାରତୀୟ ଖେଳାଳିଙ୍କ ଉପରେ ଜାତିଆଣ ମନ୍ତବ୍ୟକୁ ବିରୋଧ କରି ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ନିକଟରେ କ୍ଷମା ମାଗିଛନ୍ତି। ଓ୍ବାର୍ଣ୍ଣର କହିଛନ୍ତି, ତୃତୀୟ ଟେଷ୍ଟ ସମୟରେ ଯାହା ଘଟିଥିଲା ଏବଂ ଦର୍ଶକଙ୍କ ଆଚରଣ ଗ୍ରହଣୀୟ ନୁହେଁ। ପ୍ରଥମ ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା ମହମ୍ମଦ ସିରାଜ ଏବଂ ଭେଟେରାନ ଫାଷ୍ଟ ବୋଲର ଜସପ୍ରୀତ ବୁମ୍‌ରାଙ୍କୁ କ୍ରମାଗତ ୨ ଦିନ ଦର୍ଶକଙ୍କ ମନ୍ତବ୍ୟ ସହିବାକୁ ପଡ଼ିଥିଲା।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ୪ର୍ଥ ଦିନରେ କିଛି ସମୟ ପାଇଁ ଖେଳକୁ ବନ୍ଦ ରଖାଯାଇଥିଲା। ଅମ୍ପାୟାରଙ୍କ ନିକଟରେ ଅଭିଯୋଗ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିଲା।
ଏ ନେଇ ଭାରତୀୟ ଦଳ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ କ୍ଷମାମାଗି ୬ଜଣ ଦର୍ଶକଙ୍କୁ ପଡ଼ିଆରୁ ବାହାର କରିଦେଇଥିଲା। ଏ ନେଇ ଓ୍ବାର୍ଣ୍ଣର ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଲେଖିଛନ୍ତି, ମୁଁ ମହମ୍ମଦ ସିରାଜ ଏବଂ ଭାରତୀୟ ଦଳକୁ କ୍ଷମା ମାଗୁଛି। ଜାତିଗତ ଏବଂ ଅଶ୍ଳୀଳ ମନ୍ତବ୍ୟ ଗ୍ରହଣ ଯୋଗ୍ୟ ନୁହେଁ। ଆମ ଘରୋଇ ଦର୍ଶକଙ୍କଠାରୁ ମୁଁ ଏକ ଭଲ ମନୋଭାବ ଆଶା କରୁଛି ବୋଲି ସେ ଲେଖିଛନ୍ତି।
ଅଷ୍ଟ୍ରେଲିଆ ଖେଳାଳିମାନେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରିଥିଲେ। ଜାତିଭିତ୍ତିକ ମନ୍ତବ୍ୟ ଘଟଣା ପରେ ଅଷ୍ଟ୍ରେଲିଆ ଖେଳାଳିମାନେ ଭାରତୀୟଙ୍କ ପକ୍ଷ ରଖିଥିଲେ। ସିରାଜ ଅଭିଯୋଗ କରିବା ପରେ କଙ୍ଗାରୁ ଅଧିନାୟକ ଟିମ ପେନ ଭାରତୀୟ ଦଳ ପାଖରେ ଛିଡା ହୋଇଥିଲେ। ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଛନ୍ତି ଯେ, ଅଶ୍ଳୀଳତା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ।

Share