Categories: ଖେଳ

ଏକଦା ଅଧିନାୟକ ଭାବେ ଜିତାଇଥିଲେ ଟାଇଟଲ୍‌, ଏବେ ଓ୍ବାର୍ନରଙ୍କୁ ବ୍ଲକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ଓପନର ଡେଭିଡ ଓ୍ବାର୍ନରଙ୍କୁ ବ୍ଲକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ। ଏହାର ଅଧିନାୟକ ଭାବେ ଓ୍ବାର୍ନର ଆଇପିଏଲ୍‌ ୨୦୧୬ ଟାଇଟଲ୍‌ ଜିତିଥିଲେ। ହେଲେ ଏବେ ତାଙ୍କୁ ସମାନ ଦଳ ବ୍ଲକ କରିଥିବାରୁ ଓ୍ବାର୍ନର କ୍ଷୋଭ ପ୍ରକାଶ କରିଛନ୍ତି। ନିଜର ଇନଷ୍ଟାଗ୍ରାମରେ ସ୍କ୍ରିନଶଟ୍‌ ଶେୟାର କରି ସେ ଏହା ଜଣାଇଛନ୍ତି।

ମଙ୍ଗଳବାର ଦୁବାଇରେ ଆୟୋଜିତ ହୋଇଥିବା ଆଇପିଏଲ ୨୦୨୪ ଅକ୍ସନରେ ଅଷ୍ଟ୍ରେଲିୟ ବ୍ୟାଟର୍‌ ଟ୍ରାଭିସ୍‌ ହେଡ୍‌ଙ୍କୁ ୬.୮୦ କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ ଟିମ୍‌। ଏହା ଜଣାପଡ଼ିବା ପରେ ଓ୍ବାର୍ନର ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହିଁଥିଲେ। ହେଲେ ଫ୍ରାଞ୍ଚାଇଜ୍‌ ପକ୍ଷରୁ ତାଙ୍କୁ ବ୍ଲକ କରାଯାଇଥିବାରୁ ତାହା ହୋଇପାରି ନ ଥିଲା। ପରେ କ୍ରିକେଟର ତାର ସ୍କ୍ରିନଶଟ୍‌ ଶେୟାର କରିବା ପରେ ଉଭୟଙ୍କ ମଧ୍ୟର ବିବାଦକୁ ନେଇ ଚର୍ଚ୍ଚା ହେଉଛି।

ତେବେ ହାଇଦ୍ରାବାଦ ଟିମ୍‌ ସହ ଓ୍ବାର୍ନରଙ୍କ ସମ୍ପର୍କ ସେତେଟା ଭଲ ନୁହେଁ। କାରଣ ପୂର୍ବରୁ ତାଙ୍କୁ ଅଧା ସିଜନ୍‌ରୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ଓ୍ବାର୍ନର ଦିଲ୍ଲୀ କ୍ୟାପିଟାଲ ସହ ଯୋଡ଼ି ହୋଇଥିଲେ। ଆଗାମୀ ସିଜନ ଲାଗି ମଧ୍ୟ ତାଙ୍କୁ ଦିଲ୍ଲୀ ରିଟେନ୍‌ କରିଛି।

Share