Categories: ଖେଳ

ମ୍ୟାଚ୍‌ ଖେଳିବାକୁ ହେଲିକପ୍ଟରରେ ଆସିଲେ ଷ୍ଟାର କ୍ରିକେଟର ଡେଭିଡ୍‌ ଓ୍ବାର୍ନର

ସିଡ୍‌ନୀ,୧୨ା୧: ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ସିଡ୍‌ନୀ ଥଣ୍ଡର୍ସ ତରଫରୁ ଖେଳିବା ଲାଗି ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ୍‌ ଓ୍ବାର୍ନର ହେଲିକପ୍ଟର ଯୋଗେ ଆସି ଆଇକନିକ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ପହଞ୍ଚି ଥିଲେ।

ନିକଟରେ ଟେଷ୍ଟ କ୍ରିକେଟରୁ ତାଙ୍କର ଅବସର ନେଇଥିବା ଏହି ୩୭ ବର୍ଷୀୟ ବିସ୍ଫୋରକ ଓପନର ତାଙ୍କ ଭାଇଙ୍କ ବାହାଘରରେ ଯୋଗ ଦେବାଲାଗି ହଣ୍ଟର ଭ୍ୟାଲି ଯାଇଥିଲେ। ସେଠାରୁ ସେ ସିଧାସଳଖ ଏକ ହେଲିକପ୍ଟର ଯୋଗେ ଆସି ଏସ୍‌ସିଜିର ଆଉଟ ଫିଲ୍ଡରେ ରହିଥିବା ‘ଥ୍ୟାଙ୍କ୍ସ ଡେଭ୍‌’ ଲୋଗୋ ନିକଟରେ ଓହ୍ଲାଇଥିଲେ, ଯାହାକି ତାଙ୍କ ବିଦାୟୀ ଟେଷ୍ଟ ପାଇଁ ଅଙ୍କନ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଏସ୍‌ସିଜିରେ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଓ୍ବାର୍ନରଙ୍କ ଉଜ୍ଜ୍ୱଳ ଟେଷ୍ଟ କ୍ୟାରିଅର ଅନ୍ତ ଘଟିଛି। ଖେଳାଯାଇଥିବା ତୃତୀୟ ଟେଷ୍ଟରେ ତାଙ୍କ ଆକର୍ଷୀୟ ଅର୍ଦ୍ଧଶତକ ସହାୟତାରେ ଅଷ୍ଟ୍ରେଲିଆ ସହଜ ବିଜୟ ହାସଲ କରିଥିଲା। ଓ୍ବାର୍ନର ପୂର୍ବର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। କିନ୍ତୁ ସେ ତାଙ୍କ ଦେଶ ତରଫରୁ ଅନ୍ତର୍ଜାତୀୟ ଟି୨୦ ଏବଂ ବିଶ୍ୱବ୍ୟାପୀ ଟି୨୦ ଲିଗ୍‌ଗୁଡ଼ିକରେ ଖେଳିବା ଲାଗି ଉପଲବ୍ଧ ହେବେ। ବିବିଏଲ୍‌ରେ ସିଡ୍‌ନୀ ଥଣ୍ଡର୍ସ ଶୁକ୍ରବାର ସିଡ୍‌ନୀ ସିକ୍ସର ସହ ମ୍ୟାଚ ଖେଳିଥିଲା। ଗତ ସିଜନ ଆରମ୍ଭ ପୂର୍ବରୁ ଓ୍ବାର୍ନର ଥଣ୍ଡର ସହିତ ଦୁଇ ବର୍ଷିଆ ଚୁକ୍ତି କରିଥିଲେ।

Share