ଆଡିଲେଡ୍,୧୬।୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍ର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ଓ୍ବାର୍ନର ପ୍ରଶଂସକଙ୍କ ମନ ଜିଣିଛନ୍ତି। ସହଜରେ ସାଥି ଓପନର ମାର୍କସ ହାରିସଙ୍କ ଉଇକେଟ ହରାଇବା ସତ୍ତ୍ୱେ ଅଷ୍ଟ୍ରେଲିଆକୁ ଭଲ ଆରମ୍ଭ ଦେଇଥିଲେ ଓ୍ବର୍ନର। ବାମହାତୀ ବ୍ୟାଟର ପୂର୍ବ ମ୍ୟାଚ୍ ଭଳି ଏଥର ମଧ୍ୟ ଅଳ୍ପକେ ବଞ୍ଚିତ ହୋଇଥିଲେ ଶତକରୁ। ୧୬୭ ବଲର ସମ୍ମୁଖୀନ ହୋଇ ୯୫ ରନ୍ କରି ଆଉଟ୍ ହୋଇ ଡ୍ରେସିଂ ରୁମ୍ ଫେରିଲା ବେଳେ ଓ୍ବାର୍ନର ଷ୍ଟାଣ୍ଡ୍ସରେ ଛିଡ଼ା ହୋଇଥିବା ଜଣେ କୁନି ପ୍ରଶଂସକଙ୍କୁ ନିଜ ଗ୍ଲୋଭ୍ସ ଦେଇଥିଲେ। ଭେଟେରାନ ବ୍ୟାଟରଙ୍କ ଏଭଳି କାର୍ଯ୍ୟକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି।
ଓ୍ବାର୍ନରଙ୍କ ୯୫ ରନ୍ର ଇନିଂସରେ ୧୧ ଚୌକା ସାମିଲ ଥିଲା। ଅଫ୍ ଷ୍ଟମ୍ପ ବାହାରେ ଷ୍ଟୋକ୍ସଙ୍କ ଏକ ଶର୍ଟ ପିଚ୍ ବଲକୁ କଟ କରିବାକୁ ଚେଷ୍ଟା କରି ସେ କଭର ଅଞ୍ଚଳରେ ଷ୍ଟୁଆର୍ଟ ବ୍ରଡଙ୍କ ହାତରେ ଧରା ପଡ଼ିଥିଲେ। ଏଥିପୂର୍ବରୁ ଆଶେସ ସିରିଜ୍ର ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୯୪ ରନ୍ କରି ଆଉଟ୍ ହୋଇଥିଲେ।