Categories: ଖେଳ

ଗର୍ଜିଲା ଓ୍ବାର୍ନରଙ୍କ ବ୍ୟାଟ୍‌

ଦୁବାଇ,୨୮।୧୦ : ଦୀର୍ଘ ଦିନ ପରେ ଫର୍ମକୁ ଫେରିଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର। ତାଙ୍କ ୬୫ ରନ୍‌ର ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ୭ ଉଇକେଟରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୫୪ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୭ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାକୁ କୁସାଲା ପେରେରା (୩୫) ଓ ଆସଲାଙ୍କା (୩୫) ଭଲ ଆରମ୍ଭ ଦେଇଥିଲେ। ଦୁହେଁ ଦ୍ୱିତୀୟ ଉଇକେଟ ପାଇଁ ଯୋଡ଼ିଥିଲେ ୬୩ ରନ୍‌। ହେଲେ ଦଳ କ୍ରମାଗତ ୪ ଓଭରରେ ୪ ଉଇକେଟ ହରାଇବାରୁ ବିଶାଳ ସ୍କୋର ଛିଡ଼ା କରି ପାରି ନ ଥିଲା ଶ୍ରୀଲଙ୍କା। ଫଳରେ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଓ୍ବାର୍ନର ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ଓପନିଂ ଯୋଡ଼ି ୭୦ ରନ୍‌ ଯୋଡ଼ି ଦଳ ପାଇଁ ଭଲ ମୂଳଦୁଆ ରଖିଥିଲେ। ଫିଞ୍ଚ ୩୭ (୫ ଚୌକା ଓ ୨ ଛକା) ଓ ଓ୍ବାର୍ନର ୬୫ (୧୦ ଚୌକା) ରନ୍‌ କରିଥିଲେ। ଶେଷ ଆଡ଼କୁ ଷ୍ଟିଭ ସ୍ମିଥ ୨୮ ଓ ମାର୍କସ ଷ୍ଟୋଇନିସ ୧୬ ରନ୍‌ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ।

Share