Categories: ଖେଳ

ବଲ୍‌ ଷ୍ଟମ୍ପରେ ବାଜିଲା, ହେଲେ ଆଉଟ୍‌ ହେଲେ ନାହିଁ ଓ୍ବାର୍ନର

ମୁମ୍ବାଇ,୧୨।୫: ଚଳିତ ଆଇପିଏଲ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନର ଉଲ୍ଲେଖନୀୟ ପ୍ରଦର୍ଶନ ସ୍ବରୂପ ୪୧ ବଲରେ ୫୨ ରନ୍‌ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଇନିଂସରେ ଭାଗ୍ୟ ଓ୍ବାର୍ନରଙ୍କ ସହ ରହିଥିଲା। ଏଥିଲାଗି ସେ ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ଆଉଟ୍‌ ହେଉ ହେଉ ରହିଥିଲେ।

ଦିଲ୍ଲୀ ଇନିଂସର ୯ମ ଓଭରର ଶେଷ ବଲ୍‌ରେ ଏହି ଘଟଣା ଘଟିଥିଲା। ଓ୍ବାର୍ନର ଆଗକୁ ଆସି ଖେଳିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଫଳରେ ବଲ୍‌ ସିଧା ଯାଇ ଷ୍ଟମ୍ପ୍ସରେ ବାଜିଥିଲା। ହେଲେ ବେଲ୍ସ ଖସି ନ ଥିଲା। ଏଥିଲାଗି ଓ୍ବାର୍ନର ଆଉଟ୍‌ ହୋଇ ନ ଥିଲେ। ମଇଦାନରେ ଉପସ୍ଥିତ ଖେଳାଳିମାନେ ଘଟଣାକୁ ଦେଖି ଚକିତ ହୋଇଥିଲେ। ନିଜେ ଓ୍ବାର୍ନର ଏବଂ ଚହଲ ମଧ୍ୟ ହସିଥିବା ଦେଖାଯାଇଥିଲା।

ଓ୍ବାର୍ନରଙ୍କ ବିଷୟରେ କହିଲେ ସେ ଚଳିତ ଆଇପିଏଲ୍‌ରେ ଜବରଦସ୍ତ ଫର୍ମରେ ଅଛନ୍ତି। ଦିଲ୍ଲୀ ଟିମ୍‌ରୁ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ସେ। ଏହି ସିଜନରେ ସେ ୪୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି।

Share