Categories: ଖେଳ

କ୍ରିକେଟର ମଇଳା ସଫା କରିବାକୁ ମୋ’ ପରିବାର ଓ୍ବାଶିଂ ମେଶିନ ହେବ ନାହିଁ: ଓ୍ବାର୍ନର

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିୟ କ୍ରିକେଟ ଦଳର ତାରକା ଓପନର୍‌ ଡେଭିଡ୍‌ ଓ୍ବାର୍ନର ତାଙ୍କ ଉପରେ ଲାଗିଥିବା ଅଧିନାୟକତ୍ୱରେ ଆଜୀବନ ପ୍ରତିବନ୍ଧକର ସମୀକ୍ଷା ଆବେଦନକୁ ପ୍ରତ୍ୟାହାର କରୁଛନ୍ତି। ଏଥିସହିତ ସେ ଇଣ୍ଡିପେଣ୍ଡଣ୍ଟ ରିଭ୍ୟୁ ପ୍ୟାନେଲ ଏବଂ ଆସିଷ୍ଟାଣ୍ଟ କାଉନ୍‌ସିଲର ତିବ୍ର ସମାଲୋଚନା କରିଛନ୍ତି। ପ୍ୟାନେଲ୍‌ ସମୀକ୍ଷା ପ୍ରକ୍ରିୟାକୁ ସାର୍ବଜନିକ ଭାବେ ତାମ୍‌ସାରେ ପରିଣତ କରିବାକୁ ଚାହୁଁଥିବା ସେ କହିଛନ୍ତି।

ଓ୍ବାର୍ନର ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ କରି କହିଛନ୍ତି, କ୍ରିକେଟର ମଇଳା ଧୋଇବା ଲାଗି ତାଙ୍କ ପରିବାର ଓ୍ବାଶିଂ ମେଶିନରେ ପରିଣତ ହେବ ନାହିଁ। ସେ ଏବଂ ଅଷ୍ଟ୍ରେଲୀୟ କ୍ରିକେଟ ବୋର୍ଡର ବିରୋଧ ସତ୍ତ୍ୱେ ପ୍ୟାନେଲ ଏବଂ ତାଙ୍କ କାଉନ୍‌ସିଲ ଏକ ଭିନ୍ନ ଅନିୟମିତ ପ୍ରକ୍ରିୟା ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛନ୍ତି। ତାଙ୍କ ପରିବାରକୁ ଆହୁରି ନକରାତ୍ମକତାର ସାମ୍ନା କରିବାକୁ ପଡ଼ିବ ବୋଲି ପ୍ୟାନେଲ ଧମକ ଦେଇଛି। ଏହାଛଡ଼ା ତାଙ୍କ ବିଷୟରେ ଅନେକ ଅପମାନଜନକ ମନ୍ତବ୍ୟ ମଧ୍ୟ ଦେଇଥିବା ସେ କହିଛନ୍ତି।

ଏହାଛଡ଼ା ପ୍ୟାନେଲ ୨୦୧୮ରେ କେପଟାଉନ୍‌ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ କ’ଣ ହୋଇଥିଲା ତାର ପବ୍ଲିକ ଟ୍ରାଏଲ କରିବାକୁ ପରାମର୍ଶ ଦେଇଥିଲା। ଏଣୁ ଓ୍ବାର୍ନର ତାଙ୍କ ପରିବାର ଏବଂ ବନ୍ଧୁଙ୍କୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡ଼ୁ ବୋଲି ଚାହୁଁ ନ ଥିଲେ। ତାଙ୍କ ପାଇଁ କ୍ରିକେଟରୁ ଅଧିକ ଜରୁରୀ ତାଙ୍କ ପରିବାର। ଏଣୁ ଏହି ମାମଲାରେ ସେମାନେ ଅପମାନିତ ହୁଅନ୍ତୁ ସେ ଦେଖିବାକୁ ଚାହୁଁ ନଥିବା ଓ୍ବାର୍ନର କହିଛନ୍ତି।

ପ୍ରକାଶ ଯେ, ୨୦୧୮ କେପ୍‌ଟାଉନ୍‌ ଟେଷ୍ଟ ମ୍ୟାଚ୍‌ ସମୟରେ ବଲ୍‌ ଟାମ୍ପରିଂ କରିଥିବା ନେଇ ଓ୍ବାର୍ନରଙ୍କ ଉପରେ ଅଭିଯୋଗ ହୋଇଥିଲା। ଏଥିଲାଗି ତାଙ୍କ ଅଧିନାୟକତ୍ୱ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ମାମଲାରେ ଷ୍ଟିଭ୍‌ ସ୍ମିଥ୍‌ ମଧ୍ୟ ଫସିଥିଲେ। ତାଙ୍କ ଉପରେ ବର୍ଷକ ଲାଗି ବ୍ୟାନ୍‌ ଲଗାଯାଇଥିଲା। ଏବେ ଏହି ମାମଲାରେ ସମୀକ୍ଷା ଆବେଦନକୁ ଓ୍ବାର୍ନର ପ୍ରତ୍ୟାହାର କରିବାକୁ ସ୍ଥିର କରିଛନ୍ତି। ଏପରି କଲେ ସେ ଆଉ କେବେ ବି ଦଳର ନେତୃତ୍ୱ ନେଇପାରିବେ ନାହିଁ।

Share