Categories: ଖେଳ

ଡବ୍ଲ୍ୟୁବିଏ ଟାଇଟଲ ବଜାୟ ରଖିଲେ ଡେଭିସ୍‌

ଓ୍ବାଶିଂଟନ, ୯ା୧ (ଏପି): ଗର୍ଭୋଣ୍ଟା ଡେଭିସ୍‌ ତାଙ୍କ ଡବ୍ଲ୍ୟୁବିଏ ଓ୍ବାଲର୍‌ଡ ଲାଇଟ୍‌ଓ୍ବେଟ୍‌ ଟାଇଟଲ ବଜାୟ ରଖିଛନ୍ତି। ରବିବାର ସକାଳେ ୮ ରାଉଣ୍ଡ ଲଢେଇ ପରେ ଟେକ୍‌ନିକାଲ ନକ୍‌ଆଉଟ୍‌ରେ ସେ ହେକ୍ଟର ଲୁଇସ୍‌ ଗାର୍ସିଆଙ୍କୁ ପରାସ୍ତ କରିଥିଲେ। ଗାର୍ସିଆଙ୍କର ୧୭ତମ ମୁକାବିଲାରେ ଏହା ପ୍ରଥମ ପରାଜୟ। ଆରମ୍ଭରେ ଗାର୍ସିଆ କଡ଼ା ଟକ୍କର ଦେଇଥିଲେ ହେଁ ୯ ରାଉଣ୍ଡ ବିଶିଷ୍ଟ ଲଢେଇ ଜିତିପାରି ନ ଥିଲେ।

ମୁକାବିଲାର ପ୍ରଥମ କେତୋଟି ରାଉଣ୍ଡରେ ଡେଭିସଙ୍କ ପ୍ରଦର୍ଶନ ମନ୍ଥର ରହିଥିଲା। ଏହି ସମୟରେ ସେ ଅଳ୍ପ କେତୋଟି ପଞ୍ଚ ମାରିଥିଲେ। ମାତ୍ର ଚତୁର୍ଥ ରାଉଣ୍ଡରେ ସେ ତାଙ୍କ ଆକ୍ରମଣକୁ ତୀବ୍ରତର କରିଥିଲେ। ଏହା ଦେଖିବା ଲାଗି ସମର୍ଥକମାନେ ଛିଡ଼ା ହୋଇ ପଡ଼ିଥିଲେ।

୮ମ ରାଉଣ୍ଡ ଲଢେଇ ମଧ୍ୟଭାଗରେ ରିଙ୍ଗ୍‌ ସାଇଡ୍‌ ଷ୍ଟାଣ୍ଡରେ ବିଶୃଙ୍ଖଳା ଦେଖାଯାଇଥିଲା। ଏହାଦ୍ୱାରା ଡେଭିସ୍‌ ଓ ଗାର୍ସିଆ ବିଚଳିତ ହୋଇପଡ଼ିଥିଲେ। ଫଳରେ ଲଢ଼େଇକୁ କିଛି ସମୟ ସ୍ଥଗିତ ରଖିବାକୁ ହୋଇଥିଲା। ମ୍ୟାଚ ଶେଷ ବେଲ୍‌ ବାଜିବା ପର୍ଯ୍ୟନ୍ତ ଡେଭିସ୍‌ ଯଥେଷ୍ଟ ପଞ୍ଚ ମାରିସାରିଥିଲେ। ତାଙ୍କର ବିଜୟ ଓ ପରାଜୟ ରେକର୍ଡ ବର୍ତ୍ତମାନ ୨୮-୦ରେ ପହଞ୍ଚତ୍ଛି। ତନ୍ମଧ୍ୟରେ ତାଙ୍କର ୨୬ଟି ନକ୍‌ଆଉଟ । ବାଲଟିମୋର୍‌ରେ ଜନ୍ମ ଗ୍ରହଣ କରିଥିବା ଏହି ବକ୍ସର ସହରରେ ଦ୍ୱିତୀୟ ଲଢେଇ ଏପ୍ରିଲରେ ର଼୍ୟାନ ଗାର୍ସିଆଙ୍କ ସହ ହେବ। ବର୍ଷର ଏହା ଅନ୍ୟତମ ଶ୍ରେଷ୍ଠ ଲଢେଇ ହେବ ବୋଲି ଆଶା କରାଯାଉଛି।

Share