ଅହମ୍ମଦାବାଦ,୨୧।୩ : କ୍ୟାରିୟରର ୨୪ତମ ଟି୨୦ ମ୍ୟାଚ୍ରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ। ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରର ୨୪ତମ ଇନିଂସରେ ମଲାନ ପୂରଣ କରିଛନ୍ତି ଏକ ହଜାର ରନ୍। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ମଲାନ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ। ଭାରତ ବିପକ୍ଷରେ ଏଠାରେ ଖେଳାଯାଇଥିବା ୫ମ ମ୍ୟାଚ୍ରେ ସେ ୬୮ ରନ୍ର ଇନିଂସ ଖେଳିବା ଅବସରରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।
ପୂର୍ବରୁ ପାକିସ୍ତାନର ବାବର ଆଜାମଙ୍କ ନାମରେ ଥିଲା ଏହି ରେକର୍ଡ। ସେ ୨୬ତମ ଇନିଂସରେ ଏକ ହଜାର ରନ ପୂରଣ କରିଥିଲେ। ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଟିଂ ସେନସେଶନ କୋହଲି। ତାଙ୍କୁ ଏକ ହଜାର ରନ୍ କରିବାକୁ ଲାଗିଥିଲା ୨୭ଟି ଇନିଂସ। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଓ ଭାରତର ଲୋକେଶ ରାହୁଲ ରହିଛନ୍ତି। ଦୁହେଁ ୨୯ତମ ଇନିଂସରେ ଛୁଇଁ ଥିଲେ ଏହି ମାଇଲଷ୍ଟୋନ।