ହସ୍ପିଟାଲରେ ଦାଉଦ୍‌ ଇବ୍ରାହିମ୍‌

ଇସଲାମାବାଦ,୧୮ା୧୨: ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଷକ୍ରିୟା ଯୋଗୁ କରାଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ପାକିସ୍ତାନରେ ଭାରତରୁ ଲୁଚି ରହିଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ ସେଠାରେ ମଧ୍ୟ ସୁରକ୍ଷିତ ନୁହନ୍ତି। କରାଚିରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ବିଷ ଦେଇଥିବାର କୁହାଯାଉଛି। ଏହା ପରେ ତାଙ୍କ ଅବସ୍ଥା ବିଗିଡ଼ି ଯାଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଖବର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ କରୁଛି। ଏହା ମଧ୍ୟ କୁହାଯାଉଛି ଯେ, ୬୫ ବର୍ଷୀୟ ପଳାତକ ସାରା ବିଶ୍ୱରେ ଆଇନ ଶୃଙ୍ଖଳା ସଂସ୍ଥାକୁ ଏଡ଼ାଇ ଅନେକ ବର୍ଷ ଧରି କରାଚିରେ ରହୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ସଂଗଠିତ ଅପରାଧ, ଆତଙ୍କବାଦ ଏବଂ ଡ୍ରଗ୍ସ କାରବାର ସମେତ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ସହିତ ଭାରତର ଅନ୍ୟତମ ଚାଞ୍ଚଲ୍ୟକର ଅପରାଧୀ ଦାଉଦ ଇବ୍ରାହିମ ଜଡ଼ିତ। ସେ ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ, ଯେଉଁଥିରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ।

Share